

ସତ୍ୟଶିଖା (କଟକ) ୦୫/୦୨/୨୦୨୧ : ଭାରତରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ-୨୦୨୨ ଆୟୋଜିତ ହେବ । ଆୟୋଜକ ଭାରତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ । ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ଭାରତୀୟ ଦଳ ପ୍ରସ୍ତୁତି ଲାଗି ୧୫ ବର୍ଷରୁ କମ୍ ଖେଳାଳିଙ୍କୁ ନେଇ ବିଭିନ୍ନ ରାଜ୍ୟରେ ମନୋନୟନ ଶିବିର ଆୟୋଜିତ ହୋଇଥିଲା । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଶିବିରରେ ଓଡ଼ିଶା ଖେଳାଳି ଅଂଶଗ୍ରହଣ କରିଥିଲେ । ମନୋନୟନ ଶିବିରରୁ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଶ୍ରୀଦେବୀ ହାଁସଦା ଜାତୀୟ ଶିବିର ଲାଗି ମନୋନୀତ ହୋଇଛନ୍ତି । ମୟୁରଭଞ୍ଜର ଶ୍ରୀଦେବୀ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ । ଶ୍ରୀଦେବୀ ଓଡ଼ିଶା ୧୭ ବର୍ଷରୁ କମ୍ ବାଳିକା ଫୁଟବଲ ଦଳର ଅଧିନାୟିକା ଦାୟିତ୍ବ ତୁଲାଇଛନ୍ତି । ୨୦୨୦ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଖେଳିବା ନେଇ ଓଡ଼ିଶାର ମଞ୍ଜୁ ଗଞ୍ଜୁ ଓ ଜ୍ୟୋତି କୁମାରୀ ଆଶା ରଖିଥିଲେ ମଧ୍ୟ କରୋନା ମହାମାରୀ ପାଇଁ ଏହି ବିଶ୍ୱକପ୍ ବାତିଲ ହୋଇ ଯାଇଥିଲା । ଫଳରେ ମଞ୍ଜୁ ଓ ଜ୍ୟୋତି ନିରାଶ ହୋଇଥିଲେ । ଏବେ ଶ୍ରୀଦେବୀ ସମ୍ଭାବ୍ୟ ଶିବିର ଲାଗି ମନୋନୀତ ହେବା ଫିଫା ମହିଳା ବିଶ୍ୱକପରେ ଓଡ଼ିଆଙ୍କ ପ୍ରତିିନିଧିତ୍ବ ନେଇ ଆଶା ସଞ୍ଚାର କରିଛି ।