‘ବ୍ଲାକ୍ ଫଙ୍ଗସ୍’ ଭୟ : କରୋନାରୁ ସୁସ୍ଥ ହେବା ପରେ ଦୃଷ୍ଟି ଶକ୍ତି ହରାଉଛନ୍ତି ଲୋକେ

ସତ୍ୟଶିଖା(ନୂଆଦିଲ୍ଲୀ) ୧୦.୦୫.୨୦୨୧: ଗୁଜରାଟ ଓ ମହାରାଷ୍ଟ୍ରରେ କୋଭିଡ୍‌ରୁ ଆରୋଗ୍ୟଲାଭ କରୁଥିବା ପୀଡ଼ିତମାନଙ୍କ ଭିତରୁ ଅନେକ କ୍ଷେତ୍ରରେ ‘ବ୍ଲାକ୍‌ ଫଙ୍ଗସ୍‌’ ବା ‘ମ୍ୟୁକୋର୍ମାଇକୋସିସ୍‌’ ନାମକ ଏକ ପ୍ରକାର ବିରଳ ଫିମ୍ପିଗତ ସଂକ୍ରମଣ ଦେଖାଦେବା ଚିକିତ୍ସାବିତ୍‌ମାନଙ୍କ ନିଦ ହଜାଇ ଦେଇଛି । ଏହି ନୂତନ ଧରଣର ସଂକ୍ରମଣ ପୀଡ଼ିତମାନଙ୍କର ଦୃଷ୍ଟିଶକ୍ତି ନଷ୍ଟ କରିଦେବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରୁଥିବା ଜଣାଯାଇଛି । ଗୁଜରାଟର ବିଭିନ୍ନ ପ୍ରାନ୍ତରରୁ ଏଭଳି ସଂଖ୍ୟାଧିକ ‘ବ୍ଲାକ୍‌ ଫଙ୍ଗସ୍‌’ ଆକ୍ରାନ୍ତ ସୁରଟ ସ୍ଥିତ କିରଣ ସୁପର ସ୍ପେସାଲିଟି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଭିତରୁ ୫୦ଜଣ ଚିକିତ୍ସାଲାଭ କରିସାରିଥିବା ବେଳେ ଆଉ ୬୦ ଜଣ ଅପେକ୍ଷାରେ ଅଛନ୍ତି ବୋଲି ଏହାର ଅଧ୍ୟକ୍ଷ ମାଥୁର ସାବାନି କହିଛନ୍ତି।

ତେବେ ଚିକିତ୍ସିତଙ୍କ ଭିତରୁ ୭ ଜଣ ସେମାନଙ୍କର ଦୃଷ୍ଟିଶକ୍ତି ହରାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ସୁରଟ ଓ ଅହମଦାବାଦରେ କୋଭିଡ୍‌ରୁ ଆରୋଗ୍ୟଲାଭ କରିଥିବା ପୀଡ଼ିତଙ୍କ ଭିତରୁ ଅତି କମ୍‌ରେ ୮ ଜଣ ଦୃଷ୍ଟି ଶକ୍ତି ହରାଇଥିବା ଜଣାଯାଇଛି। ଚଳିତ ଦ୍ବିତୀୟ ଲହର ସଂକ୍ରମଣ ଅବସରରେ ସୁରଟ ସ୍ଥିତ ଅସର୍ବା ନାଗରିକ ଡାକ୍ତରଖାନାକୁ ପ୍ରତ୍ୟହ ଅତି କମ୍‌ରେ ୫ରୁ ୧୦ଜଣ ଏଭଳି ରୋଗୀ ଆସୁଥିବା ସୂଚନା ମିଳିଛି। ତେବେ ସେମାନଙ୍କ ଭିତରୁ ୫ ଜଣରୁ ଜଣଙ୍କର ଏପରି ଦୃଷ୍ଟିଗତ ସମସ୍ୟା ଥିବା ଇଏନ୍‌ଟି ବିଶେଷଜ୍ଞ ଡା. ଦେବଙ୍ଗ ଗୁପ୍ତା କହିଛନ୍ତି।
ଅପରପକ୍ଷେ, ମହାରାଷ୍ଟ୍ରରେ ମଧ୍ୟ ଅତି କମ୍‌ରେ ୮ ଜଣ ଅନୁରୂପ ରୋଗୀ ଦୃଷ୍ଟି ଶକ୍ତି ହରାଇ ସାରିଥିବା ବେଳେ ଅନ୍ୟ ୨୦୦ ଜଣ ଚିକିତ୍ସାଧୀନ ରହିଥିବା ରାଜ୍ୟ ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶାଳୟର ମୁଖ୍ୟ ଡା. ତତ୍ୟାରାଓ ଲହାନେ କହିଛନ୍ତି। ସେମାନେ ସମସ୍ତେ କୋଭିଡ୍‌ରୁ ମୁକ୍ତି ପାଇଥିଲେ ହେଁ ସେମାନଙ୍କ ଦୁର୍ବଳ ରୋଗପ୍ରତିରୋଧକତା ହିଁ ଏହି ସଂକ୍ରମଣର ଶିକାର ହୋଇଥିବା ସେ କହିଛନ୍ତି। ଯଦିଓ ଏହି ‘ମ୍ୟୁକୋର୍ମାଇକୋସିସ୍‌’ ନୂଆ ରୋଗ ନୁହେଁ, ତେବେ ସମ୍ପ୍ରତି କୋଭିଡ୍‌ ରୋଗୀଙ୍କ ଠାରେ ବେଶୀ ଦେଖାଯାଉଛି।

Exit mobile version