

ସତ୍ୟଶିଖା(ଭୁବନେଶ୍ୱର ) ୧୭ .୦୧.୨୦୨୨ : ରାଜ୍ୟରେ ଟିକାକରଣକୁ ଏକ ବର୍ଷ ପୂରିଛି। ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାଦାନ କାର୍ଯ୍ୟକ୍ରମରେ ରବିବାର ସୁଦ୍ଧା ସଂଖ୍ୟା ୫କୋଟି ୪୩ଲକ୍ଷ ୮ହଜାର ୩୩୪ରେ ପହଞ୍ଚିଛି। ରାଜ୍ୟରେ ପ୍ରଥମ ପାନ ୯୩ ପ୍ରତିଶତ ହିତାଧିକାରୀ ନେଇଥିବାବେଳେ ଉଭୟ ପାନ ପ୍ରାୟ ୯୦ ପ୍ରତିଶତ ଲୋକ ନେଇଛନ୍ତି। ଚଳିତମାସ ସୁଦ୍ଧା ୯୫ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବାପାଇଁ ଲକ୍ଷ୍ୟ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି।
ଡା. ପାଣିଗ୍ରାହୀ କହିଛନ୍ତି ଯେ କରୋନାକୁ ମୁକାବିଲା କରିବାରେ ଟିକାକରଣ ପ୍ରମୁଖ ଭୂମିକା ନିର୍ବାହ କରୁଛି। ସମସ୍ତଙ୍କ ସହଯୋଗରେ ଟିକାକରଣ ଏହି ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଆଜି ଜାତୀୟ ତଦାରଖ କମିଟିର ବୈଠକ ବସିଥିଲା। ଏଥିରେ କରୋନାର ସ୍ଥିତି ଓ ଗୃହ ପୃଥକବାସ ସମୟସୀମା ନେଇ ଆଲୋଚନା ହୋଇଛି। ଆଗାମୀ ଦିନରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି।
ରବିବାର ରାଜ୍ୟରେ ୧୯୨୫ଟି କେନ୍ଦ୍ରରେ ୧ଲକ୍ଷ ୧୬ହଜାର ୧୪୩ ହିତାଧିକାରୀ ଟିକା ନେଇଛନ୍ତି। ଏଥିରେ ୨୮ହଜାର ୨୬୪ କିଶୋର ଟିକା ନେଇଥିବାବେଳେ ୧୮ରୁ ୪୪ବର୍ଷର ୧୮ହଜାର ୯୩ ଯୁବବର୍ଗ ପ୍ରଥମ ପାନ ଏବଂ ୩୬ହଜାର ୮୪୮ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାବାଦ୍ ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୫ହଜାର ୪୨୭ ବରିଷ୍ଠ ପ୍ରଥମ ପାନ ଏବଂ ୧୯ହଜାର ୩୧୭ ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଆଜି ୨୧୫୬ ସ୍ବାସ୍ଥ୍ୟ କର୍ମୀ ପ୍ରତିଷେଧାତ୍ମକ(ବୁଷ୍ଟର) ପାନ ଟିକା ନେଇଥିବାବେଳେ ୧୬୯୮ କରୋନା ଯୋଦ୍ଧା ଏବଂ ୪ହଜାର ୧୯୫ ବରିଷ୍ଠ ବର୍ଗର ହିତାଧିକାରୀ ବୁଷ୍ଟର ଟିକା ନେଇଛନ୍ତି।