

ସତ୍ୟଶିଖା ୦୭ .୦୮ .୨୦୨୦ : କରୋନାର ସ୍ୱାବ ପରୀକ୍ଷା ରିପୋର୍ଟକୁ ନେଇ ପୁଣି ଏକ ସାଂଘାତିକ ତ୍ରୁଟି ସାମନାକୁ ଆସିଛି । ବଡ଼ମ୍ବା ଅଞ୍ଚଳର ଜଣେ ୧୦ ବର୍ଷର ଝିଅକୁ କରୋନା ପଜିଟିଭ୍ ଦର୍ଶାଇ ୧୦ ଦିନ କୋଭିଡ ହସ୍ପିଟାଲରେ ରଖାଯିବା ଏବଂ ବାସ୍ତବରେ ତାଙ୍କର ମୂଳ ରିପୋର୍ଟ ନେଗେଟିଭ୍ ଥିବା ଘଟଣା ସାମନାକୁ ଆସିଥିବାବେଳେ ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ ପୁଣି ଏକ ସାଂଘାତିକ ତ୍ରୁଟି ସାମନାକୁ ଆସିଛି । ଏଭଳି ତ୍ରୁଟି ରୋଗୀ ଓ ସଂପର୍କୀୟଙ୍କ ଜୀବନ ସହ ଖେଳିବା ଭଳି ହେଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ସୃଷ୍ଟି ହୋଇଛି ।
ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ଗୋପୀନାଥପୁର ପଞ୍ଚାୟତ ତଳପାଟକ ଗ୍ରାମର ରବୀନ୍ଦ୍ର କୁମାର ଭୋଇ (୫୦) ରିପୋର୍ଟ ତ୍ରୁଟି ଘଟଣାର ଶିକାର ହୋଇଛନ୍ତି । ବୁଧବାର ଦନି ତାଙ୍କର ରିପୋର୍ଟ ନେଗେଟିଭ୍ କୁହାଯାଇ ଏସ୍ସିବି ମେଡିକାଲ୍ରୁ ଡିସ୍ଚାର୍ଜ କରାଯାଇଥିଲାବେଳେ ଗୁରୁବାର ରିପୋର୍ଟ ପଜିଟିଭ୍ ଦର୍ଶାଇ ତାଙ୍କୁ କୋଭିଡ୍ ସେଣ୍ଟରରେ ରଖାଯାଇଛି । ରବୀନ୍ଦ୍ର ଜଗତପୁରସ୍ଥିତ ଏକ ଘରୋଇ କମ୍ପାନିରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ପାଖାପାଖି ୧୦ ଦିନ ତଳେ ଅଫିସ୍ର ଏକ କାର୍ଯ୍ୟରେ ସେ ଯୋଡ଼ା ଯାଇଥିଲେ । ଫେରିଲାବେଳେ ବାଟରେ ତାଙ୍କୁ ଜର ଧରିଥିଲା । ଅଫିସ୍ରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଏସ୍ସିବିକୁ ପଠାଇ ଦିଆଗଲା ।
ଗତ ୩ ତାରିଖରେ ସାମାନ୍ୟ ଲକ୍ଷଣ ଥିବାରୁ ଡାକ୍ତର ସନ୍ଦେହରେ ତାଙ୍କୁ ଆଇସୋଲେସନ୍ ୱାର୍ଡକୁ ପଠାଇବା ସହ ସ୍ୱାବ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଆଇସୋଲେସନ୍ ୱାର୍ଡରେ ତାଙ୍କୁ ରଖାଯାଇ ସ୍ୱାବ ନମୁନା ନିଆଯାଇଥିଲା । ୫ ତାରିଖକୁ ସେ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିଥିଲେ । ଏଥିସହ ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିବାରୁ ରବୀନ୍ଦ୍ରଙ୍କୁ ଆଉ କିଛି ଔଷଧ ଲେଖି ଦିଆଯାଇ ଘରେ ୧୬ ତାରିଖ ପର୍ଯ୍ୟନ୍ତ କ୍ୱାରେନଟିନରେ ରହିବାକୁ ପରାମର୍ଶ ଦେଇ ଗତକାଲି ଡିସ୍ଚାର୍ଜ କରି ଦିଆ ଯାଇଥିଲା । ଡିସ୍ଚାର୍ଜ ପେପର୍ରେ ମଧ୍ୟ କରୋନା ରିପୋର୍ଟ ନେଗେଟିଭ୍ ଥିବା ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ।
ଡିସ୍ଚାର୍ଜ ହେବା ପରେ ରବୀନ୍ଦ୍ର ତାଙ୍କ ମାଲିକଙ୍କ ଫ୍ୟାକ୍ଟ୍ରିକୁ ଯାଇଥିଲେ ଓ ସେଠାରୁ ସେ ଚଲାଉଥିବା ଏକ ପିକ୍ଅପ୍ ଭ୍ୟାନ ଧରି ଘରକୁ ଯାଇଥିଲେ । କନ୍ଦରପୁରଠାରେ ପହଞ୍ଚିବା ବେଳକୁ ଜଗତସିଂହପୁର ଜିଲ୍ଲା କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଏକ ଫୋନ୍ ଆସିଥିଲା। ହେଲେ, ସେ ଘରକୁ ଯାଉଥିବା କହିବାରୁ ଫୋନ୍ କଟିଯାଇଥିଲା । ପରେ ବୁଧବାର ରାତି ପ୍ରାୟ ୨ଟା ବେଳକୁ ଏସ୍ସିବି ମେଡିକାଲ୍ରୁ ଏକ ଫୋନ୍ ଯାଇଥିଲା ଓ ଡିସ୍ଚାର୍ଜ ପେପରର କପି ହ୍ୱାଟ୍ସଆପରେ ପଠାଇବାକୁ କୁହାଗଲା । ରବୀନ୍ଦ୍ର ତାଙ୍କ ପୁଅ ମୋବାଇଲ୍ରୁ ଡିସ୍ଚାର୍ଜ ପେପର୍କୁ ଏସ୍ସିବିରୁ ଆସିଥିବା ଫୋନ୍ ନମ୍ବରକୁ ପଠାଇଥିଲେ । ରିପୋର୍ଟରେ ସାମାନ୍ୟ ତ୍ରୁଟି ଥିବା କୁହାଯାଇଥିଲା ଏବଂ ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ୍ ଥିବାବେଳେ ଭୁଲ୍ରେ ନେଗେଟିଭ୍ ଲେଖାଯାଇଛି ବୋଲି ତାଙ୍କୁ କୁହାଯାଇଥିଲା ।
ଗୁରୁବାର ସକାଳେ କୋଭିଡ୍ ସେଣ୍ଟରକୁ ଯିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା । ଗୁରୁବାର ସକାଳ ପ୍ରାୟ ୧୦ଟାରେ କିଛି ମେଡିକାଲ୍ କର୍ମଚାରୀ ତାଙ୍କ ଘର ଆଗରେ ପହଞ୍ଚି କୋଭିଡ୍ ସେଣ୍ଟର ଯିବା ପାଇଁ କହିଥିଲେ । କିନ୍ତୁ ରିପୋର୍ଟରେ ତ୍ରୁଟି ହେବାକୁ ନେଇ କିଛି ସମୟ ପାଇଁ ରବୀନ୍ଦ୍ରଙ୍କ ପରିବାର ସହ ଯୁକ୍ତିତର୍କ ହୋଇଥିଲା । ଅନେକ ବୁଝାସୁଝା ପରେ ରବୀନ୍ଦ୍ର ବାଧ୍ୟ ହୋଇ ସ୍ଥାନୀୟ କଲ୍ୟାଣମଣ୍ଡପରେ ହୋଇଥିବା କୋଭିଡ୍ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି ।