ସତ୍ୟଶିଖା (ଭୁବନେଶ୍ୱର) ୨୬/୧୨/୨୦୨୦ : ପୂର୍ବରୁ ଗୋଟିଏ ବର୍ଷରେ ଯେତିକି ଦିନ ଲୋକେ ଶୀତ ଅନୁଭବ କରୁଥିଲେ ଏବେ ତାହା ଦେଖାଯାଉନାହିଁ । ସେହିଭଳି ଶୀତରୁ ରକ୍ଷା ପାଇବା ପାଇଁ ଉଲ୍ରେ ତିଆରି କିମ୍ବା ରେଡିମେଡ୍ ସ୍ବେଟର ସମେତ କୋଟ୍ ଆଦି ଲୋକ ପିନ୍ଧୁଥିଲେ । ଚାଦର ଏବଂ ସାଲ୍ ଘୋଡ଼ାଇ ହେଉଥିଲେ । ସମୟ ବଦଳିବା ସହିତ ଉପଭୋକ୍ତାବାଦର ପ୍ରସାର ଯୋଗୁ ଶୀତ ପୋଷାକ ବଜାରରେ ବ୍ୟାପକତା ଆସିଛି । ମଲ୍ ସଂସ୍କୃତି ଏବଂ ଏକ୍ସକ୍ଲୁସିଭ ଷ୍ଟୋର୍ ମଧ୍ୟ ଏହି ବଜାରକୁ ଆହୁରି ଆଗକୁ ନେଇଯାଇଛି । ପ୍ରତିବର୍ଷ ଏହି ବଜାର ଆକାର ବଢ଼ୁଛି ଏବଂ ମୋଟ ପୋଷାକ ବଜାରରେ ଶୀତବସ୍ତ୍ରର ଏକ ଉଲ୍ଲେଖନୀୟ ଭାଗ ରହିଛି । ଭାରତରେ ଏହି ବଜାର ୨୫ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।
ଭୁବନେଶ୍ବରରେ ଥିବା ମଲ୍ ଏବଂ ବଡ଼ ପୋଷାକ ସୋ’ରୁମ୍ ଗୁଡ଼ିକରେ ଶୀତବସ୍ତ୍ରର ଦାମ୍ ୮୦୦ ଟଙ୍କାରୁ ଆରମ୍ଭ ହେଉଛି । ଛୋଟ୍ ସୋ’ରୁମ୍ ଏବଂ ରାସ୍ତା ପାର୍ଶ୍ବ ଦୋକାନଗୁଡ଼ିକରେ କମ୍ ଦାମରେ ମଧ୍ୟ ସ୍ବେଟର ମିଳୁଛି । କିନ୍ତୁ ବଡ଼ ସୋ’ରୁମ୍ ଗୁଡ଼ିକରେ ଦେଢ଼ ହଜାର ଟଙ୍କାରୁ ତିନି ହଜାର ଟଙ୍କା ମଧ୍ୟରେ ଶୀତବସ୍ତ୍ର ଅଧିକ ସଂଖ୍ୟାରେ ବିକ୍ରି ହେଉଛି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି ।
ପୋଷାକ ବର୍ଗ
ଜ୍ୟାକେଟ୍, ସ୍ବେଟସାର୍ଟ, ପୁଲ୍ ଓଭର, ସ୍ଲିଭଲେସ୍ ସ୍ବେଟସାର୍ଟ, ଫୁଲ୍ ସ୍ବେଟ୍ସାର୍ଟ, ସ୍ବେଟର, ହୁଡିଜ୍, ୱିଣ୍ଡ୍ ଚିଟର୍, ଲେଦର ଜ୍ୟାକେଟ୍, ଡେନିମ୍ ଜ୍ୟାକେଟ୍, ବମ୍ବର ଜ୍ୟାକେଟ୍ ଆଦି ପୁରୁଷମାନେ ପିନ୍ଧୁଥିବାବେଳେ ମହିଳାମାନେ ସ୍ବେଟର, ପୁଲ୍ ଓଭର, ଜ୍ୟାକେଟ, ସ୍ବେଟସାର୍ଟ, ସ୍ଲିପ୍ ଗାଉନ୍, ସ୍ବେଟର କୁର୍ତ୍ତି, କାର୍ଡିଗାନ୍ସ, ଜିନ୍ସ ଜ୍ୟାକେଟ, ଭେଲଭେଟ୍ ଜ୍ୟାକେଟ୍, ପ୍ରି ୱିଣ୍ଟର ଜ୍ୟାକେଟ୍, , ସ୍ରବ୍ ଜ୍ୟାକେଟ, ଲଙ୍ଗ୍ କୋଟ୍ସ, ଲେଡିଜ୍ କାର୍ଡିଗାନ ଆଦି ପିନ୍ଧୁଛନ୍ତି ।
ୟୁଏସ ପୋଲୋ, ଆଲେନ ସୋଲି, ଇଣ୍ଡିଆନ ଟେରେନ, ଲୁଇ ଫିଲିପ୍, ବ୍ଲାକବ୍ଲେରି, ଭାନ ହୁସେନ, ୟୁସିବି, ଜ୍ୟାକ୍ ଆଣ୍ଡ୍ ଜୁମ୍ସ, ସେଲିଓ, ଲିଭାଇସ, ପେପେ, ରାଙ୍ଗଲର, ଲି, ସ୍ପାଇକର, ବିଙ୍ଗ୍ ହ୍ୟୁମାନ, ନାଇକ, ଆଡିଡାସ, ଡିଜେସି, ଚାମ୍ପିଅନ, ବୋଫାଲୋ, ପୁମା,ମଣ୍ଟେ କାର୍ଲୋ, କିଲର, ଲମ୍ୟାନ, ଇଣ୍ଟିଗ୍ରିଟିି, ଜାରା, ଟ୍ବିଲ୍ସ, ସାଇଲା, ସୃଷ୍ଟି, ଭେରା ମୋଡ଼ା, ଓନ୍ଲି, ସ୍କଲର୍ସ, ଆଣ୍ଡ୍, ହେ, ଫାବାଲେ, ଜିଙ୍କ ଲ୍ୟାଣ୍ଡର, ଓନର,ଡ୍ୟୁକ୍, ୱାଇଲ୍ଡକ୍ରାଫ୍ଟ ,ନାଇଟହୁଡ,ଅରେଲିଆ ଆଦି ଅନେକ ବ୍ରାଣ୍ଡ୍ର ଶୀତ ପୋଷାକ ଓଡ଼ିଶାର ସୋ’ରୁମ୍ ଗୁଡ଼ିକରେ ଉପଲବ୍ଧ ହେଉଛି ।
ଅଫର୍ ବି ମିଳୁଛି
ଶୀତ ଶେଷହେଲେ ସାଧାରଣତଃ ଶୀତବସ୍ତ୍ର ଉପରେ କମ୍ପାନି ଓ ସୋରୁମ୍ ଗୁଡ଼ିକ ପୂର୍ବରୁ ରିହାତି ଦେଉଥିଲେ। କିନ୍ତୁ ଏବେ ଶୀତ ସମୟରେ ମଧ୍ୟ ସୋରୁମ୍ ଓ କମ୍ପାନି ଗୁଡ଼ିକ ରିହାତି ଦେଉଛନ୍ତି। ଭୁବନେଶ୍ବରରେ ସୋରୁମ୍ ଓ ମଲ୍ରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏସବୁ ଅଫର୍ ରହିଥିବା ଦେଖିବାକୁ ମିଳିଛି। ସେଣ୍ଟ୍ରାଲ ମଲ୍ରେ ଲଙ୍ଗ୍ କୋର୍ଟ ଉପରେ ୨୦ ପ୍ରତିଶତ ରିହାତି ଥିବାବେଳେ ଅନ୍ୟ କେତେକ ଶୀତବସ୍ତ୍ରରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି।
ଏବର୍ଷର ନୂଆ
ପୂର୍ବରୁ ଗୋଟିଏ ଓ ଦୁଇଟି ରଙ୍ଗର ଡେନିମ୍ ଜ୍ୟାକେଟ୍ ମିଳୁଥିବାବେଳେ ଚଳିତବର୍ଷ ସେଣ୍ଟ୍ରାଲ ମଲ୍ରେ ବ୍ୟାପକ ରଙ୍ଗର ଡେନିମ୍ ଜ୍ୟାକେଟ୍ ମିଳୁଛି। ଏହି ନୂଆ ଡେନିମ୍ ଜ୍ୟାକେଟର ମୂଲ୍ୟ ୩ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ସେହିଭଳି ବିଗ୍ ବଜାର ଭଳି ମଲ୍ରେ ଭେଲଭେଟ୍ ପୁଲଓଭର ମଧ୍ୟ ଚଳିତବର୍ଷ ଗ୍ରାହକଙ୍କ ପାଇଁ ପ୍ରଥମ ଥର ଲାଗି ଉପଲବ୍ଧ କରାଯାଇଛି।