ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନକୁ ଅନ୍ନଦାତାମାନେ ବିରୋଧ କରୁଛନ୍ତି । ଦିଲ୍ଲୀ ସୀମାରେ ଏକତ୍ର ହୋଇ କୃଷକମାନେ ଆନ୍ଦୋଳନ କରୁଛନ୍ତି । ଏହାମଧ୍ୟରେ ମଙ୍ଗଳବାର ଅର୍ଥାତ ଗଣତନ୍ତ୍ର ଦିବସ ଉପଲକ୍ଷେ କୃଷକମାନେ ଟ୍ରାକ୍ଟର ରାଲି କରିବେ । ଏହାସହ ନିଜର ଶକ୍ତି ପ୍ରଦର୍ଶନ କରିବେ । ଏଥିପାଇଁ ଚାଷୀମାନେ ସଜବାଜ ଆରମ୍ଭ କରି ଦେଇଛନ୍ତି । ଆହୁରି ମଧ୍ୟ ଦାବି ପୂରଣ ନ ହେଲେ ବଜେଟ ଅଧିବେଶନ ଦିନ ଅର୍ଥାତ୍ ଫେବ୍ରୁଆରୀ ୧ରେ ମଧ୍ୟ ଚାଷୀମାନେ ସଂସଦ ଭବନ ଅଭିମୁଖେ ପଦଯାତ୍ରା କରିବେ ବୋଲି ଆହ୍ୱାନ ଦେଇଛନ୍ତି ।
ଏସବୁ ଭିତରେ ଟ୍ରାକ୍ଟର ରାଲି ସମୟରେ ହିଂସା ସୃଷ୍ଟି ହେବା ନେଇ ଦିଲ୍ଲୀ ପୋଲିସ କରିଥିବା ଆଶଙ୍କା ଅଧିକ ଘନିଭୂତ ହେବାରେ ଲାଗିଛି । ପାଖାପାଖି ୨ ଲକ୍ଷ ଟ୍ରାକ୍ଟର ଶୋଭାଯାତ୍ରାରେ ସାମିଲ ହେବେ ବୋଲି କୃଷକ ସଙ୍ଗଠନ କହିଛି । ପଞ୍ଜାବ, ହରିଆଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟର ଚାଷୀମାନେ ରାଲିରେ ସାମିଲ ହେବେ ବୋଲି ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ସମେତ ସିଆର୍ପିଏଫ୍ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।