ସତ୍ୟଶିଖା (ନୂଆଦିଲ୍ଲୀ) ୧୪.୧୨.୨୦୨୦ : ଜୀବନ ପାଇଁ ଖାଦ୍ୟର ଆବଶ୍ୟକତା କେତେ ଜରୁରୀ ତାହା ଏକା ଭୋକିଲା ପେଟ ହିଁ କହିପାରିବ । ହେଲେ ସେହି ଭୋକ ବେଳେ ଆମେ ଯାହା ବି ଖାଇଥାଉ ତାହାର ଉତ୍ପାଦନ କୃଷକ ମାନେ କରିଥା’ନ୍ତି । ସାରା ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଉଥିବା କୃଷକ ଆଜି ନିଜେ ଉପବାସରେ ରହି ନିଜର ହକ୍ ଓ ଅଧିକାର ପାଇଁ ଗୁହାରୀ କରୁଛି । ଏକଥା ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ନିନ୍ଦନୀୟ ଘଟଣା ।
କୃଷକ ମାନେ ସେମାନଙ୍କ ହକ୍ ନନେଇ ଘରକୁ ଫେରିବେନାହିଁ ବୋଲି ପଣ କରିଛନ୍ତି । ଆଉ ସରକାର ବିଲ୍ ପ୍ରତ୍ୟାହାର ନକରିବାକୁ ଜିଦ୍ ରେ ଅଟଳ । ଏହାରି ମଧ୍ୟରେ ୧୯ ଦିନ । ଶେଷରେ ସରକାରଙ୍କ ଠାରୁ ନିରାଶ ବାଣୀ ଶୁଣିବା ପରେ ଆଜି ହଜାର ହଜାର ସଂଖ୍ୟାର କୃଷକ ମାନେ ଉପବାସରେ ରହି ଅନସନ କରୁଛନ୍ତି । ଦେଶର ରାଜଧାନୀ ଦିଲ୍ଲୀ ଠାରୁ ପଲ୍ଲୀ ସବୁଠାରେ କୃଷକ ମାନଙ୍କୁ ମିଳିଛି ଅହେତୁକ ସମର୍ଥନ । ସରକାର ଆଣିଥିବା ୩ ଟି କୃଷି ଆଇନକୁ ବିରୋଧ କରି ପଞ୍ଜାବ, ହରିଆଣା, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶର କୃଷକ ମାନେ ୧୯ ଦିନ ତଳେ ଆରମ୍ଭ କରିଥିବା ଆନ୍ଦୋଳନକୁ ଏବେ ଦେଶର ଅନ୍ୟ ରାଜ୍ୟମାନଙ୍କର କୃଷକ ମାନେ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ମାନେ ଦିଲ୍ଲୀ ସୀମାରେ ପହଂଚୁଛନ୍ତି । ଖାଲି କୃଷକ ନୁହନ୍ତି ଗତକାଲି କୃଷକ ମାନେ ସେମାନଙ୍କ ସାଙ୍ଗରେ କୃଷି କାମରେ ବ୍ୟବହୃତ ହେଉଥିବା ବଳଦ ନେଇ ବି ଆସୁଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ପଞ୍ଜାବ ଓ ରାଜସ୍ଥାନର ଚାଷୀ ମାନେ ଶହ ଶହ ସଂଖ୍ୟାର ଘୋଡା ବି ଆଣି ଆନ୍ଦୋଳନ ସ୍ଥଳରେ ପହଂଚିଥିଲେ ।