କୃଷକ ଆନ୍ଦୋଳନ ଉପବାସରେ ଅନ୍ନଦାତା

ସତ୍ୟଶିଖା (ନୂଆଦିଲ୍ଲୀ) ୧୪.୧୨.୨୦୨୦ : ଜୀବନ ପାଇଁ ଖାଦ୍ୟର ଆବଶ୍ୟକତା କେତେ ଜରୁରୀ ତାହା ଏକା ଭୋକିଲା ପେଟ ହିଁ କହିପାରିବ । ହେଲେ ସେହି ଭୋକ ବେଳେ ଆମେ ଯାହା ବି ଖାଇଥାଉ ତାହାର ଉତ୍ପାଦନ କୃଷକ ମାନେ କରିଥା’ନ୍ତି । ସାରା ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଉଥିବା କୃଷକ ଆଜି ନିଜେ ଉପବାସରେ ରହି ନିଜର ହକ୍ ଓ ଅଧିକାର ପାଇଁ ଗୁହାରୀ କରୁଛି । ଏକଥା ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ନିନ୍ଦନୀୟ ଘଟଣା ।
କୃଷକ ମାନେ ସେମାନଙ୍କ ହକ୍ ନନେଇ ଘରକୁ ଫେରିବେନାହିଁ ବୋଲି ପଣ କରିଛନ୍ତି । ଆଉ ସରକାର ବିଲ୍ ପ୍ରତ୍ୟାହାର ନକରିବାକୁ ଜିଦ୍ ରେ ଅଟଳ । ଏହାରି ମଧ୍ୟରେ ୧୯ ଦିନ । ଶେଷରେ ସରକାରଙ୍କ ଠାରୁ ନିରାଶ ବାଣୀ ଶୁଣିବା ପରେ ଆଜି ହଜାର ହଜାର ସଂଖ୍ୟାର କୃଷକ ମାନେ ଉପବାସରେ ରହି ଅନସନ କରୁଛନ୍ତି । ଦେଶର ରାଜଧାନୀ ଦିଲ୍ଲୀ ଠାରୁ ପଲ୍ଲୀ ସବୁଠାରେ କୃଷକ ମାନଙ୍କୁ ମିଳିଛି ଅହେତୁକ ସମର୍ଥନ । ସରକାର ଆଣିଥିବା ୩ ଟି କୃଷି ଆଇନକୁ ବିରୋଧ କରି ପଞ୍ଜାବ, ହରିଆଣା, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶର କୃଷକ ମାନେ ୧୯ ଦିନ ତଳେ ଆରମ୍ଭ କରିଥିବା ଆନ୍ଦୋଳନକୁ ଏବେ ଦେଶର ଅନ୍ୟ ରାଜ୍ୟମାନଙ୍କର କୃଷକ ମାନେ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ମାନେ ଦିଲ୍ଲୀ ସୀମାରେ ପହଂଚୁଛନ୍ତି । ଖାଲି କୃଷକ ନୁହନ୍ତି ଗତକାଲି କୃଷକ ମାନେ ସେମାନଙ୍କ ସାଙ୍ଗରେ କୃଷି କାମରେ ବ୍ୟବହୃତ ହେଉଥିବା ବଳଦ ନେଇ ବି ଆସୁଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ପଞ୍ଜାବ ଓ ରାଜସ୍ଥାନର ଚାଷୀ ମାନେ ଶହ ଶହ ସଂଖ୍ୟାର ଘୋଡା ବି ଆଣି ଆନ୍ଦୋଳନ ସ୍ଥଳରେ ପହଂଚିଥିଲେ ।ଅନ୍ୟପଟେ ଏହି କୃଷକ ଆନ୍ଦୋଳନକୁ କଂଗ୍ରେସ, ବାମଦଳ ଓ ଅନ୍ୟାନ୍ୟ ରାଜନୈତିକ ଦଳ ମାନେ ବି ବାହ୍ୟ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି । ହେଲେ ଆମ୍ ଆଦମୀ ପାର୍ଟି ଏହି କୃଷକ ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ ଜଣାଇଛି । ଏନେଇ ଆଜି ଦଳ ପକ୍ଷରୁ ଦିଲ୍ଲୀର ମୁ୍ଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜେ କୃଷକଙ୍କ ପାଇଁ ଉପବାସ ଅନସନ କରିଛନ୍ତି । ସେ କହିଛନ୍ତି କି କେନ୍ଦ୍ରସରକାର କୃଷକ ମାନଙ୍କର ସମସ୍ତ ଦାବି ମାନି ନେବା ଉଚିତ୍ । ଏହା ସହ ସର୍ବନିମ୍ନ ସହାୟକ ମୂଲ୍ୟକୁ ସୁନିଶ୍ଚିତ କରି ଏକ ବିଲ୍ ଆଣନ୍ତୁ । ସେପଟେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କେଜ୍ରିୱାଲଙ୍କ ଅନଶନକୁ ନାଟକ ବୋଲି କହିଛନ୍ତି । ସେ କହିଛନ୍ତି କି ୨୩ ନଭେମ୍ବରରେ କେଜ୍ରିୱାଲ ସରକାର କେନ୍ଦ୍ରସରକାର ଆଣିଥିବା ୩ ଟି ବିଲ୍ ମଧ୍ୟରୁ ଗୋଟିଏ ବିଲ୍ କୁ ଅଧି ସୂଚିତ କରି କୃଷକଙ୍କ ପିଠିରେ ଛୁରୀ ମାରିଥିଲେ ।
ସେ ରାଜନୈତିକ ଦଳ ହେଉ କି ନେତା ହୁଅନ୍ତୁ । କଂଗ୍ରେସ ହେଉ କି ବିଜେପି । ଏମାନେ ଦୀର୍ଘ ୭୦ ବର୍ଷ ହେବ କୃଷକଙ୍କ ହିତରେ କିଛି କାମ କରିନଥିବା ଭଳି ମନେ ହେଉଛି । ଯେଉଁ ଦେଶର ୭୦ ପ୍ରତିଶତ ଲୋକ ନିଜର ଜୀବନ ଜୀବୀକା ପାଇଁ କୃଷି ଉପରେ ନିର୍ଭର କରନ୍ତି ସେହି ଦେଶର ସରକାର ମାନେ ୭୦ ବର୍ଷ ଶାସନ କରିବା ପରେ ବି କୃଷି ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସ୍ଥିର କରିପାରନ୍ତି ନାହିଁ । କମ୍ପାନୀ ମାନେ ମାଗଣାରେ ପାଣି ଆଣି ବୋତଲରେ ପ୍ୟାକିଂ କରିବା ପରେ ସେମାନେ ତାହାର ମୂଲ୍ୟ ନିର୍ଦ୍ଧାରଣ କରିବାର ହକ୍ ପାଉଥିବା ବେଳେ ଖରା, ବର୍ଷା, ଶୀତ କାକରରେ ଅକ୍ଳାନ୍ତ ପରିଶ୍ରମ କରି କୃଷକ ଉତ୍ପାଦନ କରୁଥିବା ଶଷ୍ୟର ମୂଲ୍ୟ ସରକାର ସ୍ଥିର କରିବେ ଓ ତାହା ପୁଣି ସହାୟକ ମୂଲ୍ୟ ହିସାବରେ ଏକଥାକୁ କୃଷକ ଭାଇ ମାନେ ଆଉ କେତେ ଦିନ ସହିବେ । ତେଣୁ ଆଜି ସେମାନଙ୍କ ପାଇଁ ଭୋକ ଉପରେ ଭବିଷ୍ୟତ ଭାରି ପଡିଛି ।