

ସତ୍ୟଶିଖା( ରାଇଘର) ୨୨.୧୧.୨୦୨୧: ଚାଷ ପାଇଁ ଗ୍ରୁପ ଋଣ ନେଇଥିଲେ । ତାହା ମଧ୍ୟ କମ ପଡ଼ିବାରୁ ମହଜନ ଠାରୁ ବି କିଛି ଋଣ ନେଇଥିଲେ । କିନ୍ତୁ ଠିକ ଉତ୍ପାଦନ ପୂର୍ବରୁ ନଷ୍ଟ ହୋଇଗଲା ଫସଲ । ତେଣୁ ମାନସିକ ଭାରସାମ୍ୟ ହରାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡ଼ା (ଡିଏନକେ) ଗାଁର ଚାଷୀ ବିଭୂତି ସରକାର (୪୫) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବିଭୂତି ଅତ୍ୟନ୍ତ ଚାପଗ୍ରସ୍ତ ଥିଲେ ଏବଂ ସବୁବେଳେ କେମିତି ଋଣ ଶୁଝିବେ ସେହି ଚିନ୍ତାରେ ଥିଲେ । ରବିବାର ସକାଳେ ଘରେ କାହାକୁ କିଛି ନ କହି ବାହାରି ପଡ଼ିଥିଲେ ବିଭୂତି ।
ନିଜ ଚାଷ ଜମି ନିକଟରେ ହିଁ ଗୋଟିଏ ଆମ୍ବଗଛରେ ଦଉଡ଼ି ବାନ୍ଧି ସେଥିରେ ଝୁଲି ଯାଇଥିଲେ । ଆଖପାଖ ଜମିରେ କାମ କରୁଥିବା କିଛି ଲୋକ ବିଭୂତିଙ୍କୁ ଛଟପଟ ହେବା ଦେଖି ତୁରନ୍ତ ପହଞ୍ଚିଥିଲେ । ଗଣ୍ଠି ଖୋଲି ବିଭୂତିଙ୍କୁ ତଳକୁ ଓହ୍ଲାଇ ରାଇଘର ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତରଖାନା ପହଞ୍ଚିବା ମାତ୍ରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପତ୍ନୀ, ଦୁଇ ଝିଅ ଏବଂ ଗୋଟିଏ ପୁଅ ଅସହାୟ ଅବସ୍ଥାକୁ ଚାଲି ଆସିଛନ୍ତି । ମୁରବିଙ୍କୁ ହରାଇ ସାରିଥିବା ବେଳେ ମୁଣ୍ଡ ଉପରେ ରହିଥିବା ଋଣ ପାଇଁ ବିବ୍ରତ ରହିଛନ୍ତି ।