ମନୋରଞ୍ଜନସିନେମା

ପାରିବାରିକ ବିବାଦ ବର୍ଷା ଓ ଅନୁଭବ

ସତ୍ୟଶିଖା (ଭୁବନେଶ୍ୱର) ୩୦/୧୨/୨୦୨୦ : ରାଜ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଉଭୟଙ୍କୁ ସାମ୍ନାସାମ୍ନି ବସାଇ ମହିଳା କମିଶନ ଆଲୋଚନା କରୁଥିବା ଜଣାପଡ଼ିଛି । ତେବେ ଅନୁଭବଙ୍କ ବାପା-ମାଆଙ୍କୁ ହାଜର ପାଇଁ ମହିଳା କମିଶନ ନୋଟିସ କରିଥିଲେ ବି ସେମାନେ ହାଜର ହୋଇନଥିବା ଜଣାପଡ଼ିଛି । ଅନୁଭବ କହିଛନ୍ତି ଯେ, ମୋତେ ମହିଳା କମିଶନ ଡାକିଥିଲେ, ମୁଁ ମୋ ପକ୍ଷ ରଖିଛି

ରାଜ୍ୟ ମହିଳା କମିଶନଙ୍କ ଟେବୁଲରେ ପତି ପତ୍ନୀ ।  ପାରିବାରିକ କଳହ ଏରୁଣ୍ଡି ଡେଇଁ ଥାନା, କୋର୍ଟ ପରେ ଏବେ ମହିଳା କମିଶନରେ ପହଞ୍ଚିଛି । ମଙ୍ଗଳବାର ମହିଳା କମିଶନରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ପ୍ରଥମେ ବର୍ଷା ମହିଳା କମିଶନଙ୍କ ଅଫିସରେ ପହଞ୍ଚିଥିଲେ । ତାର କିଛି ସମୟର ପରେ ଅନୁଭବ ଆସିଥିଲେ । ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରିଛନ୍ତି ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା ।

ଗତ ୧୫ ତାରିଖରେ ବର୍ଷା ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟି ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ବର୍ଷା, ଅନୁଭବ ଏବଂ ଅନୁଭବଙ୍କ ବାପା ମାଙ୍କୁ ହାଜର ପାଇଁ କମିଶନ ନୋଟିସ୍ କରିଥିଲେ । ତେବେ ଅନୁଭବଙ୍କ ବାପା ମା ହାଜର ହୋଇନଥିବା ଜଣାପଡିଛି । କମିଶନ ଉଭୟ ପତି ପତ୍ନୀଙ୍କଠାରୁ ସବିଶେଷ ବୁଝିଛନ୍ତି । ବର୍ଷା ଅନୁଭବଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ସେସବୁର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲେ । ଏଥିସହିତ ଉଭୟ ପକ୍ଷଙ୍କୁ କାଉନସେଲିଂ କରିବାକୁ ଚେଷ୍ଟା କରିଥିଲେ ।

ପାରିବାରିକ ବିବାଦକୁ ନେଇ ବର୍ଷା ପ୍ରଥମେ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନଥିବା ବେଳେ ତାଙ୍କ ରୁମ୍‌ରେ ତାଲା ପକାଇ ଘଣ୍ଟାଏରୁ ଅଧିକ ସମୟ ବାହାରେ ଛିଡ଼ା କରାଇ ଦେଇଥିବା ଭଳି ଅଭିଯୋଗ ଆଣିଥିଲେ ବର୍ଷା । ବର୍ଷାଙ୍କ ଏହି ଅଭିଯୋଗ ପରେ ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା । ସେପଟେ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ପିଟିସନ ଦାଖଲ କରିଛନ୍ତି ଅନୁଭବ ।

Show More
Back to top button