ବାଲିଅନ୍ତା ଅଂଚଳରେ ଠକୁଥିବାବେଳେ ନାବାର୍ଡର ନିର୍ଦ୍ଦେଶକ ପରିଚୟ ଦେଇ ଫସିଗଲେ ନକଲି ନାବାର୍ଡ ଅଧିକାରୀ l


ସତ୍ୟଶିଖା ( ବାଲିଅନ୍ତା ) ୦୯.୦୮.୨୦୨୦ : ନିଜକୁ ନାବାର୍ଡ ନିର୍ଦ୍ଦେଶକ ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକଙ୍କଠାରୁ ଠକିବାକୁ ଆସି ଫସିଯାଇଛି ଧୂର୍ତ । ପୂର୍ବରୁ ନିଜକୁ ଓମଫେଡ ନିର୍ଦ୍ଦେଶକ କହି ସେ ହି ପ୍ରାଣୀଧନ ନିରୀକ୍ଷକଙ୍କଠାରୁ ଅଢେଇ ହଜାର ଟଙ୍କା ଠକି ନେଇଥିବା ଧୂର୍ତ ଏଥର କିନ୍ତୁ ନିଜ ଜାଲରେ ନିଜେ ଛନ୍ଦି ହୋଇଯାଇଛନ୍ତି । ଏହି ନକଲି ନିର୍ଦ୍ଦେଶକଙ୍କ ନାମ ଅସ୍ମିତ ସେଠୀ । ଉତ୍ୟକ୍ତ ଲୋକେ ତାଙ୍କୁ ଧରି ପୁଲିସରେ ଜିମା ଦେଇଛନ୍ତି । ବାଳକାଟି ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣା ଅନୁସାରେ, ଗତକାଲି ପ୍ରାୟ ସାଢେ ଗୋଟାଏବେଳେ ଅସ୍ମିତ ଏକ କାରରେ ଆସି ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଡମ୍ବରୁଧର ବିଶ୍ୱାଳଙ୍କ ବାଲିଅନ୍ତା ଅଂଚଳର ଶିଶିଲୋ ଗାଁ ଘରେ ପଂହଚିଥିଲେ । ନିଜକୁ ନାବାର୍ଡର ଅଧିକାରୀ ଭାବେ ପରିଚୟ ଦେଇଥିଲେ ଓ ଅଫିସ କାଗଜପତ୍ର ଯାଂଚ ପାଇଁ କହିଥିଲେ । ଏଥିରେ ଡମ୍ବରୁଧର ସନ୍ଦେହ ପ୍ରକାଶ କରି ଗାଁ ଲୋକଙ୍କୁ କହିଥିଲ । ଏହା ପରେ ଗାଁ ଲୋକେ ଅସ୍ମିତଙ୍କୁ ଘେରିଯାଇଥିଲେ ଓ ପରିଚୟପତ୍ର ଦେଖାଇବାକୁ ଅଡିବସିଥିଲେ ।
ଏହାପରେ ନକଲି ନାବାର୍ଡ ଅଧିକାରୀ ଅସ୍ମିତ ଫସିଯାଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପଂହଚି ଅସ୍ମିତଙ୍କୁ ଫାଣ୍ଡିକୁ ନେଇଯାଇଥିଲେ । ପୂର୍ବରୁ ଅସ୍ମିତ ନକଲି ଓମଫେଡ ନିର୍ଦ୍ଦେଶକ ଭାବେ ଟଙ୍କା ଠକିଥିବା ବି ଅଭିଯୋଗ ରହିଛି । ଅସ୍ମିତ ନକଲି ନିର୍ଦ୍ଦେଶକ ସାଜିବା ପଛରେ କି କାରଣ ରହିଛି ପୁଲିସ ଘଟଣାର ଛାନଭିନ କରୁଛି ।