ସତ୍ୟଶିଖା (ନୂଆଦିଲ୍ଲୀ) ୧୧/୧୨/୨୦୨୦ : ଆମେରିକୀୟ ଧନୀ ମାର୍କ ଜୁକରବର୍ଗଙ୍କ ଫେସବୁକ୍ ସାମ୍ରାଜ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି । ଫେସବୁକ୍ ନିଜ କ୍ଷମତାର ଅପବ୍ୟବହାର କରି ଏକଚାଟିଆ ଭାବେ କାରବାର କରୁଥିବା ବେଳେ ଛୋଟ ସଂସ୍ଥାଗୁଡ଼ିକୁ ଦଳିମକଚି ଦେଉଛି ବୋଲି ଆମେରିକାର ୪୮ଟି ରାଜ୍ୟ ଅଭିଯୋଗ କରି ମକଦ୍ଦମା ରୁଜୁ କରିଛନ୍ତି । ଫେଡେରାଲ୍ ଟ୍ରେଡ୍ କମିସନ ମଧ୍ୟ ଫେସବୁକ୍କୁ ବିରୋଧ କରି ମକଦ୍ଦମା କରିଛି । ଫେସବୁକ୍ ପାଖରେ ଥିବା ଅତ୍ୟଧିକ କ୍ଷମତା ସମଗ୍ର ବିଶ୍ବ ପାଇଁ ବିପଦ ବୋଲି ଅନେକ ସମୟରେ ଅଭିଯୋଗ ହେଉଥିବା ବେଳେ ଏହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବାକୁ ଦାବି ହେଉଛି । ଏଭଳି ଏକ ସମୟରେ ଆମେରିକାର ସବୁ ରାଜ୍ୟ ଏକଜୁଟ ହେବା ଫେସବୁକ୍ ପାଇଁ ବଡ଼ ବିପଦ ସୃଷ୍ଟି କରିଛି । ଦରକାର ପଡ଼ିଲେ ଫେସବୁକ୍ ଏହାର ସବୁଠୁ ଲୋକପ୍ରିୟ ସେବା ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍କୁ ବିକ୍ରି କରିବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଉଛି ।
ଏହି ମକଦ୍ଦମାଗୁଡ଼ିକ ବିଷୟରେ ଫେସବୁକ୍ର ଜେନେରାଲ୍ କାଉନ୍ସେଲ୍ ଜେନିଫର ନିଉଷ୍ଟିଡ୍ କହିଛନ୍ତି ଯେ ସଫଳ କଂପାନିଗୁଡ଼ିକୁ ଦଣ୍ଡିତ କରିବା ଭଳି କୌଣସି ପ୍ରତିଯୋଗିତା ବିରୋଧୀ ନିୟମ ନାହିଁ। ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ରେ ଫେସବୁକ୍ ବିପୁଳ ନିବେଶ କରିବା ପରେ ସେଗୁଡ଼ିକ ବୃହତ ସଂସ୍ଥାରେ ପରିଣତ ହୋଇଛନ୍ତି ବୋଲି ସେ କହିଛନ୍ତି । ଗୁଗୁଲ୍ ଓ ଫେସବୁକ୍ ଭଳି କଂପାନିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବାକୁ ସେଠାକାର ନୀତି ନିର୍ଧାରକମାନେ ଦାବି କରୁଛନ୍ତି।