ସତ୍ୟଶିଖା (ଭୁବନେଶ୍ୱର) ୨୯/୧୨/୨୦୨୦ : ରାଜ୍ୟର ଅଧିକାଂଶ ଜିଲାରେ ଶୀତଲହରୀ ଜାରି ରହିଛି । ୭ଟି ସ୍ଥାନରେ ପାରଦ ୧୦ ଡ଼ିଗ୍ରୀ ତଳେ ଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୫.୫ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । କ୍ରମାଗତ ଭାବେ ଗତ ସପ୍ତାହରୁ ଅଧିକ କାଳ ଧରି ଫୁଲବାଣୀର ପାରଦ ୪ରୁ ୬ଡ଼ିଗ୍ରୀ ମଧ୍ୟରେ ରହୁଥିବାବେଳେ ସେଠାରେ ହାଡ଼ଥରା ଜାଡ଼ ସହିତ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅନୁଗୋଳ, ବାରିପଦା, ଝାରସୁଗୁଡ଼ା, ଭବାନିପାଟଣା, କୋରାପୁଟ, ଦାରିଙ୍ଗବାଡ଼ି ଆଦି ସ୍ଥାନରେ ପାରଦ ୧୦ଡ଼ିଗ୍ରୀ ତଳେ ରହିଛି । ରାଜ୍ୟର ୨୮ଟି ପାଣିପାଗ ଷ୍ଟେସନ ମଧ୍ୟରୁ ୨୬ଟି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ଡ଼ିଗ୍ରୀ ତଳେ ରହିଛି । ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ା, ଅନୁଗୋଳ,ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଆଦି ଜିଲାରେ ଅାସନ୍ତା ୩୦ରୁ ୨ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଲାଗିରହିବ । ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି । ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହିତ ୩୧ ତାରିଖ ପରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସତର୍କ ସୂଚନା ଦିଆଯାଇଛି । ପ୍ରଚଣ୍ଡ ଶୀତଲହରୀ ଲାଗିରହିଥିବା ଜିଲାଗୁଡ଼ିକରେ ବାସଗୃହ ନଥିବା ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳ ଵିଶେଷ କରି ରାତ୍ରି ଆଶ୍ରୟ ସ୍ଥଳ, ବିଦ୍ୟାଳୟ କୋଠା, କମ୍ୟୁନିଟି ବିଲ୍ଡ଼ିଂକୁ ସ୍ଥାନାନ୍ତର ପାଇଁ ଜିଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦେଶ ଦେଇଛନ୍ତି ।
ପ୍ରଚଣ୍ଡ ଥଣ୍ଡା ସମ୍ଭାବନା ୬ଜିଲାରେ
