ଗୁଜୁରାଟ ୟୁପିଏଲ-୫ ପ୍ଲାଣ୍ଟରେ ବିସ୍ଫୋରଣ, ୨୪ ଆହତ

ସତ୍ୟଶିଖା (ବଦୋଦରା):୨୩/୦୨/୨୦୨୧ :ମଙ୍ଗଳବାର ଗୁଜୁରାଟର ଭରୁଚ ଜିଲ୍ଲାରେ ଏକ ଫ୍ୟାକ୍ଟ୍ରିରେ ବଡ ଧରଣର ଅଘଟଣ ଘଟିଛି । ଝାଗାଡିଆ ସ୍ଥିତ କେମିକାଲ କମ୍ପାନୀରେ ୟୁପିଏଲ-୫ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବା ସହ ନିଆଁ ଲାଗିଯାଇଛି । ଏହି ବିସ୍ଫୋରଣରେ ୨୪ ଜଣ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତ୍ରରେ ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା ।

ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆକୁ ଆୟତ କରିବାକୁ ପ୍ରୟାସ କରୁଛନ୍ତି । କମ୍ପାନୀର ସିଏମ ନାମକ ଏକ ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ମାତ୍ରାରେ ଭୟଙ୍କର ଥିଲା ଯେ ୧୫ କିମି ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ନିକଟସ୍ଥ ଗ୍ରାମରେ ଭୂମିକମ୍ପ ଭଳି ଝଟକା ଅନୁଭୂତ ହୋଇଥିଲା । ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ ।

ୟୁପିଏଲ କମ୍ପାନୀରେ ବିସ୍ଫୋରଣ ହେବା ପରେ ୨୪ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭରୁଚ ଓ ବଦୋଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦମକଳ ବାହିନୀ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଜୁନରେ ଭରୁଚରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ପୋରଣ ହୋଇଥିଲା । ଏଥିରେ ୧୦ଜଣ ପ୍ରାଣ ହରାଇଥିଲେ  ଓ ୭୭ ଜଣ ଆହତ ହୋଇଥିଲେ ।

Exit mobile version