ସତ୍ୟଶିଖା (ଭୁବନେଶ୍ୱର) ୨୮/୧୨/୨୦୨୦ : ୮ ମାସର ଲମ୍ବା ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ହୋଇଉଠିବ ପ୍ରଦର୍ଶନୀ ପଡ଼ିଆ । ଲୋକମାନଙ୍କ ଗହଳ ଚହଳ ଦେଖିବାକୁ ମିଳିବ । ତା’ ସହ ଭଳିକି ଭଳି ସାମଗ୍ରୀ, ରାଜ୍ୟ ତଥା ରାଜ୍ୟ ବାହାରର ହସ୍ତଶିଳ୍ପ, କାରିଗରୀ, ଘରସଜ୍ଜା ସାମଗ୍ରୀ ସହ ଭିନ୍ନ ଭିନ୍ନ ସ୍ବାଦର ଖାଦ୍ୟ ପସରାରେ ଭରି ଉଠିବ ଏହି ପଡ଼ିଆ । ଶୀତ ଋତୁ ଆସିଲେ ଭ୍ରମଣମନସ୍କ ହୋଇଯାଉଥିବା ରାଜଧାନୀବାସୀଙ୍କ ଭ୍ରମଣ ଶୋଷ ମେଣ୍ଟାଇବାକୁ ଦୀର୍ଘ ବ୍ୟବଧାନ ପରେ ପୁଣି ପ୍ରସ୍ତୁତ ହେଉଛି ପ୍ରଦର୍ଶନୀ ପଡ଼ିଆ । କରୋନା ଯୋଗୁଁ ଏଥର ପ୍ରଦର୍ଶନୀ ସବୁ ପଡ଼ିବ କି ନାହିଁ ବ୍ୟବସାୟୀ ଓ ସହରବାସୀ ଦ୍ବନ୍ଦ୍ବରେ ଥିବା ବେଳେ ଏବେ ଏହି ଦ୍ବନ୍ଦ୍ବ ଦୂର ହୋଇଛି । କଟକଣା ଭିତରେ ନଭେମ୍ବରରେ ‘ମୃତ୍ତିକା-ଟେରାକୋଟା’ ଓ ଡିସେମ୍ବରରେ ‘କଟନଫ୍ୟାବ୍’ ଆୟୋଜିତ ହୋଇଥିବାରୁ ଜାନୁଆରି, ଫେବ୍ରୁଆରି ଓ ମାର୍ଚ୍ଚକୁ ନେଇ ବିକ୍ରେତାମାନଙ୍କ ମନରେ ଆଶା ସଞ୍ଚାର ହୋଇଛି । ପ୍ରଦର୍ଶନୀ ପଡ଼ିଆରେ ପୂର୍ବ ବର୍ଷମାନଙ୍କ ଭଳି ସମସ୍ତ ପ୍ରଦର୍ଶନୀ ପଡ଼ିବ ବୋଲି ଇଡ୍କୋ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ଏଥିପାଇଁ ଏବେଠାରୁ ବୁକିଂ ଆରମ୍ଭ ହୋଇଗଲାଣି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।
ଏହି ସବୁ ପ୍ରଦର୍ଶନୀ ସହରବାସୀଙ୍କ ମନୋରଞ୍ଜନ ପାଇଁ ଯେତିକି ଉପଯୋଗୀ, ବୁଣାକାର, କାରିଗର ଓ ଶିଳ୍ପୀମାନଙ୍କ ରୋଜଗାର ପାଇଁ ସେତିକି ସୁଯୋଗ ସୃଷ୍ଟି କରେ । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଏହା ବଡ଼ ବଜାରଟିଏ ଯୋଗାଇଥାଏ । ପାଠକମାନଙ୍କ ବୌଦ୍ଧିକ ବିକାଶ ପାଇଁ ପୁସ୍ତକ ମେଳା ସୁଯୋଗ ଦେଉଥିଲା । ସେହିଭଳି ରାଜ୍ୟ ତଥା ରାଜ୍ୟ ବାହାରର ଲେଖକ ଓ ପ୍ରକାଶକମାନଙ୍କ ପାଇଁ ପୁସ୍ତକ ମେଳା ରୋଜଗାର ସୁବିଧା ଦେଉଥିଲା । କିନ୍ତୁ କରୋନା ମହାମାରୀ ମନୋରଞ୍ଜନଠାରୁ ଆରମ୍ଭ କରି ଲୋକମାନଙ୍କ ବୌଦ୍ଧିକ ବିକାଶ ଓ ରୋଜଗାରରେ ବିରାମ ଲଗାଇଥିଲା । ଏସବୁ ଭିତରେ ହାତ ବାନ୍ଧି ବସିଥିବା ବ୍ୟବସାୟୀମାନେ ପ୍ରଦର୍ଶନୀ ଋତୁକୁ ନେଇ ବେଶ୍ ଆଶାବାଦୀ ଥିବା ବେଳେ ବିଭିନ୍ନ ପ୍ରଦର୍ଶନୀର ବୁକିଂ ପାଇଁ ଆପ୍ଲିକେସନ ଆସିଥିବା ଖବର ଶୁଣି ଖୁସି ହେବେ ନିଶ୍ଚିତ। ତେବେ ଖାଲି ପ୍ରଦର୍ଶନୀ ପଡ଼ିଆ ନୁହେଁ ଜନତା ମଇଦାନରେ ‘ତୋଷାଳୀ ପ୍ରଦର୍ଶନୀ’ ପାଇଁ ଟେଣ୍ଡର ପ୍ରକ୍ରିଆ ଆରମ୍ଭ ହୋଇଯାଇଥିବା ବି ସୂଚନା ମିଳିଛି । ତେବେ କରୋନା କଟକଣା ଭିତରେ ଶିଶିର ସରସ, ତୋଷାଳୀ, ଆଦିବାସୀ ମେଳା ଓ ପୁସ୍ତକ ମେଳା ଆଦି ଖୁବ୍ ଭଲ ଭାବେ ଉପଭୋଗ କରିପାରିବେ ରାଜଧାନୀବାସୀ ।
ଇଡ୍କୋର ଡିଭିଜିନାଲ୍ ହେଡ୍(ରକ୍ଷଣାବେକ୍ଷଣା) ରାଜକିଶୋର ଦାସ କହିଛନ୍ତି, ଟେରାକୋଟା ମୃର୍ତିକା ପ୍ରଦର୍ଶନୀଠାରୁ ପ୍ରଦର୍ଶନୀ ପଡ଼ିଆର ବୁକିଂ ଆରମ୍ଭ ହୋଇଗଲାଣି । ଶିଶିର ସରସ, ଆଦିବାସୀ ମେଳାଠାରୁ ଆରମ୍ଭ କରି ବିଭିନ୍ନ ହସ୍ତତନ୍ତ ମେଳା ଓ ପୁସ୍ତକ ମେଳା ପର୍ଯ୍ୟନ୍ତ ଆୟୋଜକମାନେ ପଡ଼ିଆ ବୁକିଂ ପାଇଁ ଆପ୍ଲିକେସନ ଲେଖିଛନ୍ତି । ଏତେ ଦିନ ଧରି ପ୍ରଦର୍ଶନୀ ପଡ଼ିଆର ସମସ୍ତ ବୁକିଂ ବାତିଲ କରାଯାଇଥିବା ବେଳେ ‘ମୃର୍ତ୍ତିକା’ ପ୍ରଦର୍ଶନୀରେ ଦର୍ଶକଙ୍କ ପ୍ରତିକ୍ରିୟା ଓ ଉତ୍ସାହକୁ ଦେଖି ସମସ୍ତ ପ୍ରକାର କଟକଣାକୁ ମାନି ପ୍ରଦର୍ଶନୀ ପଡ଼ିବାର ନିଷ୍ପତ୍ତି ହୋଇଛି । ପ୍ରଦର୍ଶନୀଗୁଡ଼ିକରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା ସହ ପ୍ରଦର୍ଶନୀର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜିଂର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ରାଜ୍ୟ ହସ୍ତଶିଳ୍ପ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଅନ୍ୟତମ ବଡ଼ ପ୍ରଦର୍ଶନୀ ‘ତୋଷାଳୀ’ ମଧ୍ୟ ଚଳିତ ବର୍ଷ ଆୟୋଜିତ ହେବ । କିନ୍ତୁ କରୋନାର ସମସ୍ତ ପ୍ରକାର ଗାଇଡ୍ଲାଇନ୍କୁ ଏଥିରେ ଅନୁସରଣ କରାଯିବ । ଏଥିସହ ଗତ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ଏତେ ବଡ଼ ଆକାରରେ ‘ତୋଷାଳୀ’ ପ୍ରଦର୍ଶିତ ହେବ ନାହିଁ । କିନ୍ତୁ ଆମ କାରିଗର ଓ ବୁଣାକାରମାନଙ୍କ ରୋଜଗାରର ନିହାତି ଏହା ଏକ ମାଧ୍ୟମ ହେବ ।
ରାଜଧାନୀ ପୁସ୍ତକ ମେଳା କମିଟିର ଆବାହକ ରମେଶ ଚନ୍ଦ୍ର ସ୍ବାଇଁ କହିଛନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକାମ୍ର ପୁସ୍ତକ ମେଳା କମିଟି, ରାଜଧାନୀ ପୁସ୍ତକ ମେଳା କମିଟି ଓ କଟକ ପବ୍ଲିସର୍ର୍ସ ଆସୋସିଏସନ୍ର ମିଳିତ ସହଯୋଗରେ ଗତବର୍ଷଠାରୁ ‘ରାଜ୍ୟ ପୁସ୍ତକ ମେଳା’ ଆରମ୍ଭ ହୋଇଥିଲା । ଏହା ସଫଳ ହୋଇଥିବା ବେଳେ ପାଠକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ଆସିଥିଲା । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଭିତରେ ପୁସ୍ତକ ମେଳା କେମିତି ହେବ ବୋଲି ଆମେ ଗତ କାଲି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କୁ ସାକ୍ଷାତ କରି ଆଲୋଚନା କରିଛୁ । ରାଜଧାନୀ ପୁସ୍ତକ ମେଳା କମିଟିର ସଭାପତି ଉପେନ୍ଦ୍ର ଜେନା, ଆବାହକ ରମେଶ ଚନ୍ଦ୍ର ସ୍ବାଇଁ ଓ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକଙ୍କ ସମେତ ଏକାମ୍ର ପୁସ୍ତକ ମେଳା କମିଟି ସମ୍ପାଦକ ଭାସ୍କର ଜେନା ପ୍ରମୁଖ ଯାଇ ଶ୍ରୀ ଦାସଙ୍କ ସହ ଆଲୋଚନା କରି ଆଦିବାସୀ ମେଳା ପରେ ଫେବୃଆରି ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ଆଡ଼କୁ ‘ରାଜ୍ୟ ପୁସ୍ତକ ମେଳା’ ଆୟୋଜନର ପ୍ରସ୍ତାବ ଦେଇଛୁ । ତେବେ ଏ ସମ୍ପର୍କରେ ଖୁବ୍ ଶୀଘ୍ର ବିଭାଗୀୟ ବୈଠକ ଡକାଯିବା ନେଇ ନିର୍ଦ୍ଦେଶକ କହିଛନ୍ତି ବୋଲି ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି ।