
ସତ୍ୟଶିଖା (ଭୁବନେଶ୍ୱର) ୧୦/୧୨/୨୦୨୦ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅବ୍ୟବସ୍ଥା ବଢ଼ିଚାଲିଛି । ଅସଜଡ଼ା ଭିତ୍ତିଭୂମି ଯୋଗୁଁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ପ୍ରଶାସନ ସବୁ ଦେଖି ନିରବ ରହୁଥିବା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି । ପ୍ରାଣୀ ଉଦ୍ୟାନ କରୋନା ପରେ ଖୋଲା ହୋଇଥିଲେ ହେଁ ସିଂହ, ବାଘ, ଭାଲୁ ଓ ତୃଣଭୋଜି ସଫାରି ଏ ପର୍ଯ୍ୟନ୍ତ ଖୋଲାଯାଇ ପାରିଲା ନାହିଁ । ଏହା ସହ ପାର୍କିଂ, ବୋଟିଂ, ବ୍ୟାଟେରିଚାଳିତ ଗାଡ଼ି, ଶିଶୁ ଉଦ୍ୟାନ, ଶିଶୁ ଯତ୍ନଘର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବା ଫଳରେ ପର୍ଯ୍ୟଟକ ତିକ୍ତ ମନୋଭାବ ନେଇ ଫେରୁଛନ୍ତି । ସଫାରି ଖୋଲିବା ପାଇଁ କର୍ତ୍ତୃପକ୍ଷ ୩ଥର ଟେଣ୍ଡର ଆହ୍ୱାନ କରି ସାରିଲେଣି । ଟେଣ୍ଡରରେ ଥିବା ସର୍ତ୍ତକୁ ନେଇ ଠିକାଦାର ଭାଗ ନେଉନଥିବାରୁ ବାରମ୍ବାର ଟେଣ୍ଡର ବାତିଲ ହେଉଛି । ସେହିଭଳି ପୂର୍ବ ଟେଣ୍ଡର ଅବଧି ଥାଇ ମଧ୍ୟ ବ୍ୟାଟେରିଚାଳିତ ଗାଡ଼ି, ପାର୍କିଂ ବ୍ୟବସ୍ଥା ଖୋଲା ନଯିବା ପ୍ରଶାସନର ବିଫଳତାକୁ ଅଙ୍ଗୁଳି ନିର୍ଦେଶ କରୁଛି । ଅପରପକ୍ଷରେ ନନ୍ଦନକାନନର ଆକର୍ଷଣର କେନ୍ଦ୍ରବିନ୍ଦୁ ରୋପ୍ୱେ, ଟୟଟ୍ରେନ୍ ଦୀର୍ଘବର୍ଷ ହେବ ବନ୍ଦ ରହିଛି ।
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କୋଭିଡ ଆଇନାନୁଯାୟୀ ଗତ ଅକ୍ଟୋବର ୪ରେ ନନ୍ଦନକାନନ ଖୋଲାଯାଇଥିଲା । ସେଥିପାଇଁ ଏକ ମାର୍ଗଦର୍ଶିକା ଜାରି ହୋଇଥିଲା । ଦୈନିକ ୧୫୦୦ ପର୍ଯ୍ୟଟକ ପ୍ରବେଶ ପାଇଁ ଅନୁମତି ପ୍ରଦାନ ସହ ସାନିଟାଇଜ୍, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା ସାମାଜିକ ଦୂରତ୍ୱ ରକ୍ଷା କରି ପର୍ଯ୍ୟଟକ ବୁଲିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା । ହେଲେ ଏ ସବୁ କଟକଣା ବାଟ ହୁଡ଼ିଛି । କର୍ତ୍ତୃପକ୍ଷ ଏଥିପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହେଉଛି ।କରୋନା ସମୟରେ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ବିଭିନ୍ନ ପ୍ରଜାତିର ୪୧ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ କଲରାପତରିଆ ବାଘ, ହିମାଳୟ ଭାଲୁ, ଅହିରାଜ, ଆନାକୋଣ୍ଡା, ଶଙ୍ଖଚିଲ, ସାରଙ୍ଗା ପକ୍ଷୀ, ଶାଗୁଣା, ଡାଳିଓଧ, ହରିଣ, ସମ୍ବର, କୃଷ୍ଣସାର ମୃଗ ଆଦି ଅଛନ୍ତି। ଖାଦ୍ୟାଭାବରୁ ମାରପିଟ ହୋଇ ସାରଙ୍ଗ ପକ୍ଷୀ ଓ କୃଷ୍ଣସାର ମୃଗ ଓ ମିଳନ ଆଶାରେ ମାଈ ସମ୍ବର ମରିଥିବା ଜଣାଯାଇଛି । ତଥାପି ୧୫୭ ପ୍ରଜାତିର ଜୀବଜନ୍ତୁ ନନ୍ଦନକାନନରେ ଅଛନ୍ତି ।
ପ୍ରାଣୀ ଉଦ୍ୟାନରେ ୫୦ରୁ ଊର୍ଦ୍ଧ୍ବ ସିସି କ୍ୟାମେରା ଲଗାଯିବା ସହ ରାତ୍ରି ପାଟ୍ରୋଲିଂ ଓ ସିକ୍ୟୁରିଟି ବିଭାଗର କର୍ମଚାରୀ ନିୟୋଜିତ ଥିବା ସତ୍ତ୍ବେ ଉଦ୍ୟାନରୁ ଦୁଇ ଦୁଇଥର ବଡ଼ ପାଣି ମୋଟର, କଟର ମେସିନ ଓ ଛୋଟ ପାଣି ପମ୍ପ ଚୋରି ହୋଇଛି । ଜୀବଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ପଶୁପକ୍ଷୀଙ୍କୁ ଆଣିବା ବ୍ୟବସ୍ଥା ଥିଲେ ମଧ୍ୟ ଉପନିର୍ଦେଶକ ଆଗ୍ରହ ପ୍ରକାଶ କରୁନଥିବା ପରିଲକ୍ଷିତ ହେଉଛି । ଶିଶୁଙ୍କୁ ଆକର୍ଷିତ କରୁଥିବା ଜେବ୍ରା, ଗଣ୍ଡା, ଜିରାଫ, ଓରାଙ୍ଗଓଟାଙ୍ଗ ଆଦିଙ୍କ ମୃତ୍ୟୁ ପରେ ଏହି ପ୍ରଜାତିର ଜୀବଜନ୍ତୁ ଆଣିବା ପାଇଁ ପ୍ରଶାସନ ଉଦ୍ୟମ କରୁନାହିଁ ।
ପ୍ରାଣୀ ଉଦ୍ୟାନରେ ବିଏସଏନଏଲ କମ୍ପାନୀ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ୪ଟି ସଫାରି ପାଇଁ ନୂତନ ରହଣିସ୍ଥଳ ନିର୍ମାଣ କରିଥିଲା । ଯେଉଁଥିରେ ଟିକଟ ଗୃହ, ବିଶ୍ରାମାଗାର, ରାସ୍ତା ଇତ୍ୟାଦି ରହିବା ସହ ନୂତନ ଫାଟକ ଥିଲା । ଚଳିତ ବର୍ଷ ହସ୍ତାନ୍ତର ପରଠାରୁ ବାଘ ସଫାରିର ମୁଖ୍ୟ ଫାଟକ ଖୋଲିଲା ନାହିଁ । ଫଳରେ କର୍ତ୍ତୃପକ୍ଷ ପୁଣି ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରି ଫାଟକ ମରାମତି କରିବାକୁ ବାଧ୍ୟ ହେଲେ ।
ସେହିଭଳି ଜନ୍ତୁ କ୍ୟୁରେଟର ପଦ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି । ସ୍ୱତନ୍ତ୍ର ପ୍ରକଳ୍ପ ଅଧିକାରୀ ଓ ୮୦ଟି ଚତୁର୍ଥ ଶ୍ରେଣୀ ପଦ ଖାଲି ପଡ଼ିଛି । ସିସି କ୍ୟାମେରା ବହୁସ୍ଥାନରେ କାର୍ଯ୍ୟ କରୁନାହିଁ । ତୃଣଭୋଜି ଜନ୍ତୁଙ୍କ ପାଇଁ ଘାସ ଚାଷ କରାଯାଇଛି; କିନ୍ତୁ ହ୍ରଦକୂଳରୁ ଦେଶୀଘାସ ଜନ୍ତୁଙ୍କୁ ଦିଆଯାଉଛି । ଘାସଚାଷରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି, ଅଥଚ ଦେଶୀଘାସ ଦେବାର କାରଣ କ’ଣ ତାହା ତଦନ୍ତ ସାପେକ୍ଷ । ଏ ସଂକ୍ରାନ୍ତରେ ନନ୍ଦନକାନନ ନିର୍ଦେଶକ ଶଶି ପଲଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଛୁଟିରେ ଥିବାରୁ ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।