ପ୍ରତ୍ୟେକ ନାଗରିକଙ୍କୁ ମିଳିବ ହେଲ୍‌ଥ ଆଇଡି: ମୋଦି

ସତ୍ୟଶିଖା(ନୂଆଦିଲ୍ଲୀ ) ୨୭.୦୯ .୨୦୨୧: ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଆରମ୍ଭ  କଲେ ପିଏମ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ  ଦେଶର ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ ପରିଚୟ(ହେଲ୍ଥ ଆଇଡି) ରହିବ। ଏହି କାର୍ଡ ସଂପୂର୍ଣ୍ଣ ଡିଜିଟାଲ୍ ହେବ ଯାହା ଆଧାର କାର୍ଡ ପରି ଦେଖାଯିବ।

ଆଧାର କାର୍ଡରେ ଯେପରି ନମ୍ବର ରହିଥାଏ  ଠିକ୍‌ ସେହିଭଳି ଏହି  ସ୍ୱାସ୍ଥ୍ୟ କାର୍ଡରେ ଏକ ନମ୍ବର ରହିବ, ଯାହା ଆଧାରରେ ବ୍ୟକ୍ତିର ପରିଚୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମାଣିତ ହେବ । ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଏହା ରୋଗୀ ଏବଂ ଡାକ୍ତରଙ୍କ ପାଇଁ ଲାଭଦାୟକ ହେବ ।

ଏହି କାର୍ଡ  ପାଖରେ ଥିଲେ ରୋଗୀମାନେ  ଡାକ୍ତରଙ୍କ ନିକଟକୁ ଦେଖାଇବା ପାଇଁ ଗଲାବେଳେ ଆଉ ଡାକ୍ତରୀ ଫାଇଲର ଆବଶ୍ୟକତା ପଡିବନି । ଏଥିସହିତ ଡାକ୍ତରମାନେ ରୋଗୀର ସ୍ୱାସ୍ଥ୍ୟ ID କୁ ଦେଖି ସେମାନଙ୍କ ରୋଗର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ବାହାର କରିପାରିବେ। ଏହି ଅନୁସାରେ ରୋଗୀର  ଚିକିତ୍ସା  ଆରମ୍ଭ  ମଧ୍ୟ ହୋଇପାରିବ । ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ମିଶନକୁ ଐତିହାସିକ ବୋଲି କହିଛନ୍ତି ପିଏମ ମୋଦି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସୁବିଧା ସୁଦୃଢ କରିବା ଅଭିଯାନ ଆଜିଠାରୁ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହି ମିଶନ ଦ୍ବାରା ଭାରତରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବାର ଶକ୍ତି ଅଛି।

Exit mobile version