ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : କରୋନା ଭାଇରସରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ ଲୋକ ଅସୁସ୍ଥତା ଅନୁଭବ କରୁଛନ୍ତି । ଏଭଳି ବିଭିନ୍ନ ମାମଲା ସାମ୍ନାକୁ ଆସୁଛି । ୫୦ ବର୍ଷୀୟା ଦିଲ୍ଲୀ ନିବାସୀ ସୀମା ଖାନ୍ନାଙ୍କ କରୋନା ଟେଷ୍ଟ ପଜିଟିଭ ଅଗଷ୍ଟ ୧୨ରେ ଆସିଥିଲା । ଏହା ପରେ ସେ ୧୪ ଦିନ କାଳ ହସପିଟାଲରେ ରହିଥିଲେ । ତେବେ ହସପିଟାଲର ଫେରିବା ପରେ ସେ କିନ୍ତୁ ସୁସ୍ଥ ଅନୁଭବ କରି ନ ଥିଲେ ଅର୍ଥାତ୍ ସେ କ୍ଲାନ୍ତି ଅନୁଭବ କରିଥିଲେ । ଯାହା ତାଙ୍କ ନିଦ୍ରା ଉପରେ ପ୍ରଭାବ ପକାଇଛି । ତେବେ ଡାକ୍ତର କହିଛନ୍ତି ସୀମା ସାମ୍ନା କରୁଥିବା ଏଭଳି ଅବସ୍ଥାକୁ କୁହାଯାଏ ‘ପୋଷ୍ଟ-କୋଭିଡ୍ କମପ୍ଲିକେସନ’ ।
ଡାକ୍ତରମାନେ କହିଛନ୍ତି ମାସେ ତଥା ଦୁଇ ମାସ ମଧ୍ୟରେ କରୋନାରୁ ସୁସ୍ଥ ହୋଇ ଫେରୁଥିବା ରୋଗୀଙ୍କର କିଛି ମନେ ନ ରହିବା ଅର୍ଥାତ ସ୍ମୃତିଶକ୍ତି କମିବା, ଚିଡଚିଡାପଣ ଦେଖା ଦେବା, କ୍ଲାନ୍ତି ଅନୁଭବ କରିବା, ଦ୍ବନ୍ଦ୍ବରେ ରହିବା, ଅତ୍ୟଧିକ ନିଦ୍ରା ଆଦି ସମ୍ପର୍କରେ ଅଭିଯୋଗ ସେମାନେ କରିଥାନ୍ତି । ମାତ୍ର ଏଭଳି ଅବସ୍ଥା ସପ୍ତାହେ ପର୍ଯ୍ୟନ୍ତ ରହେ । ତେବେ କରୋନା ଭାଇରସ ଫୁସଫୁସକୁ ଟାର୍ଗେଟ କରୁଛି । ଏହା ସହ କିଡ଼ନୀ, ଲିଭର ଓ ରକ୍ତ କୋଷିକା ଉପରେ ମଧ୍ୟ ପ୍ରଭାବ ପକାଉଛି । କିଛି ରୋଗୀ କ୍ରମାଗତ ନ୍ୟୁରୋଲଜିକାଲ ଲକ୍ଷଣ ସମ୍ପର୍କରେ କହନ୍ତି ।