

ସତ୍ୟଶିଖା(ଭୁବନେଶ୍ୱର )୧୯.୦୯ . ୨୦୨୨: ଉତ୍ତରପ୍ରଦେଶ ଭଳି ବୃହତ ରାଜ୍ୟରେ ଯୌତୁକଜନିତ ବଧୂହତ୍ୟା କମ୍ ରହିଥିବାବେଳେ ଓଡ଼ିଶା ସର୍ବାଗ୍ରେ ରହିଛି। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ଅନ୍ୟ କୌଣସି ରାଜ୍ୟ ଯୌତୁକଜନିତ ହତ୍ୟାରେ ଓଡ଼ିଶାର ଆଖପାଖରେ ନାହାନ୍ତି।
ଏନ୍ସିଆରବି ତଥ୍ୟ ଅନୁସାରେ ୨୦୨୧ରେ ରାଜ୍ୟରେ ୨୭୫ ଜୀବନ ଯୌତୁକ ଜୁଇରେ ଯାଇଛି। କେବଳ ବଧୂହତ୍ୟା ନୁହେଁ, ରାଜ୍ୟରେ ହତ୍ୟାଜନିତ ମାମଲା ବଢ଼ିବାରେ ଲାଗିଛି। ପ୍ରତିଦିନ କୌଣସି ନା କୌଣସି କାରଣରୁ ହତ୍ୟାକାଣ୍ଡ ଘଟୁଛି। କେତେବେଳେ ସମ୍ପତ୍ତି ପାଇଁ ଭାଇର ଜୀବନ ଭାଇ ନେଉଥିବାବେଳେ ପ୍ରେମ ପାଇଁ ବନ୍ଧୁର ମୁଣ୍ଡ କାଟିବାକୁ ପଛାଉ ନାହାନ୍ତି। ସହର ହେଉ କି ଗ୍ରାମାଞ୍ଚଳ ହତ୍ୟା ଭଳି ସଙ୍ଗିନ ମାମଲା ବଢ଼ି ଚାଲିଛି। ୨୦୨୧ରେ ରାଜ୍ୟରେ ୧୩୯୪ ହତ୍ୟା ମାମଲା ପଞ୍ଜିକୃତ ହୋଇଛି। ୨୦୨୦ରେ ୧୪୭୦ ଏବଂ ୨୦୧୯ରେ ୧୩୫୬ ହତ୍ୟା ଘଟିଥିବା ତଥ୍ୟରୁ ଜଣାପଡ଼ିଛି। ଦୈନିକ କିଛି ନା କିଛି କାରଣରୁ ଲୋକମାନେ ହତ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରେମଜନିତ ଘଟଣା, ନିଶାର ପ୍ରଭାବ, ଜମିବାଡ଼ି କଳହ, ପାରିବାରିକ ସମସ୍ୟା ଓ ବିବାଦ ଏବଂ ଛୋଟମୋଟ ଝଗଡ଼ାକୁ ନେଇ ୬୮୪ ହତ୍ୟା ମାମଲା ହୋଇଛି। ଜମିବାଡ଼ି ମାମଲା ୧୧୧ ଓ ଛୋଟ ଝଗଡ଼ାକୁ ନେଇ ୨୬ଜଣଙ୍କୁ ହତ୍ୟା ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ପାରିବାରିକ କଳହ ଓ ବିବାଦ ଯୋଗୁଁ ରାଜ୍ୟରେ ସର୍ବାଧିକ ୫୩୫ଜଣଙ୍କୁ ହତ୍ୟା କରାଯାଇଛି।
ମନସ୍ତତ୍ବବିତ୍ଙ୍କ କହିବାନୁଯାୟୀ, ବର୍ତ୍ତମାନ ଯୁବପିଢ଼ିଙ୍କ ଭିତରେ ସହିବାର କ୍ଷମତା କମିବାରେ ଲାଗିଛି। କୌଣସି କାରଣରୁ ସାଙ୍ଗସାଥୀ କିମ୍ବା କୌଣସି ବ୍ୟକ୍ତିଙ୍କ ସହ ଝଗଡ଼ା ହେଲେ ତାହା ସମାଧାନ କରିବାକୁ ଚେଷ୍ଟା କରୁନାହାନ୍ତି। ଏନ୍ସିଆରବି ତଥ୍ୟ ଅନୁସାରେ ରାଜ୍ୟରେ ଶିଶୁ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୪୧୧ ଜଣ ହତ୍ୟାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦୭ ପୁରୁଷ ଓ ୬୦୪ ମହିଳାଙ୍କୁ ହତ୍ୟା କରାଯାଇଛି। ସେହିପରି ୩ ନାବାଳକ ଓ ୬ ନାବାଳିକା ହତ୍ୟାର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟରେ ୧୮ରୁ ୩୦ବର୍ଷ ବୟସର ୧୦୩୮ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ୫୬୫ ଯୁବକ ଓ ୪୭୩ ଯୁବତୀ ରହିଛନ୍ତି। ତେବେ ୩୦ରୁ ୪୫ ବର୍ଷର ୨୮୪ ଜଣ ରହିଥିବାେବଳେ ୪୫ରୁ ୬୦ ବର୍ଷର ୭୨ଜଣ ଏବଂ ୬୦ରୁ ଊର୍ଦ୍ଧ୍ବ ବର୍ଷର ଜଣ ବିଭିନ୍ନ କାରଣରୁ ହତ୍ୟାର ସମ୍ମୁଖୀନ ହେଉଥିବା ଏନ୍ସିଆରବି ତଥ୍ୟରୁ ସ୍ପଷ୍ଟ ହୋଇଛି।