

ସତ୍ୟଶିଖା ୧୧.୦୮.୨୦୨୦ : ରତ୍ନଭଣ୍ଡାର ଖୋଲିବାକୁ ପୁଣି ଜୋର ହେଲା ଦାବି । କେବେ ଖୋଲିବ ରତ୍ନଭଣ୍ଡାର ତାହାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ରଘୁବୀର ଦାସ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଚର୍ଚ୍ଚା କି ଆଲୋଚନା ଥମି ନାହିଁ । ଶ୍ରୀମନ୍ଦିର ଆଇନ ଓ ରେକର୍ଡ ଅଫ ରାଇଟ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲାଯାଇ ସ୍ୱର୍ଣ୍ଣ ଅଳଙ୍କାର ଯାଞ୍ଚ ହେବା କଥା । ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେଣ୍ଟରି କରାଯାଇଥିଲା ।
ଭିତର ରତ୍ନଭଣ୍ଡାର ଖୋଲିବାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ପ୍ରଶାସନିକ ଅଧିକାରୀ ୨୦୧୮ ଏପ୍ରିଲରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେଇଥିଲେ । ତେବେ ହଠାତ ରତ୍ନଭଣ୍ଡାର ଚାବି ହଜିଯାଇଥିବା ତଥ୍ୟ ସେବାୟତଙ୍କ ମାଧ୍ୟମରେ ପଦାକୁ ଆସିଲା । ଚାବି ହଜିବା ଘଟଣାକୁ ନେଇ ସମଗ୍ର ରାଜ୍ୟ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା ।
ରାଜ୍ୟ ସରକାର ଚାବି ହଜିବା ଘଟଣା ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସ କମିଶନ ବସାଇଥିଲେ। ଏଥିପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦ ମାସ ତଳୁ କମିଶନ ୩୨୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ଏଯାଏଁ ତଦନ୍ତ ରିପୋର୍ଟକୁ ଚାପି ରଖାଯାଇଛି । ଏହି କାରଣରୁ ବାରମ୍ବାର ରତ୍ନଭଣ୍ଡାର ଚୋରୀ ନେଇ ପୋଷ୍ଟର ଲଗାଯାଉଛି । ରତ୍ନଭଣ୍ଡାର ତୁରନ୍ତ ଖୋଲି ଯାଞ୍ଚ ହେବା ସହ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି ।