
ସତ୍ୟଶିଖା (ଭୁବନେଶ୍ୱର) ୧୬/୧୨/୨୦୨୦ : ରାଜ୍ୟରେ ଏମ୍ବିଏର ୮ହଜାର ୫୬୬ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ମାତ୍ର ୩ହଜାର ୪୪୧ଟି ସିଟ୍ ପୂରଣ ହୋଇଛି । ୫ହଜାର ୧୨୫ ସିଟ୍ ଖାଲିପଡ଼ିଛି । ତେଣୁ ଅବଶିଷ୍ଟ ସିଟ୍ଗୁଡ଼ିକ ପୂରଣ ପାଇଁ ସ୍ପଟ୍ ଆଡମିସନ୍ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଏ ନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅଧ୍ୟକ୍ଷଙ୍କୁ ବିଭାଗୀୟ ଯୁଗ୍ମ ସଚିବ ଡ. ଅଜୟ କୁମାର ନାୟକ ଚିଠି ଲେଖିବା ପରେ ନାମଲେଖା ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ଓଜେଇଇର ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଯେ, ସ୍ପଟ୍ ଆଡମିଶନ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ସିଟ୍ ପୂରଣ କରିପାରିବେ । ନାମଲେଖା ସମୟରେ ଓଜେଇଇ ପ୍ରବେଶିକା ପରୀକ୍ଷା ଦେଇଥିବା ପ୍ରାର୍ଥୀ ଓ କ୍ୟାଟ୍/ମ୍ୟାଟ୍/ଜେଟ୍/ଆତ୍ମା/ସିଏମଏଟି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ । ହେଲେ ସ୍ନାତକ ବା ଯୁକ୍ତ ତିନିରେ ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ସର୍ବନିମ୍ନ ୫୦ ପ୍ରତିଶତ ଓ ଅନୁସୂଚିତ ଜାତି, ଜନଜାତି ଆଦି ଅନ୍ୟ ସଂରକ୍ଷିତ ବର୍ଗ ପାଇଁ ୫ ପ୍ରତିଶତ କୋହଳ କରାଯାଇଛି ।
କୋରନା ମହାମାରୀ ପାଇଁ ଏଆଇସିଟିଇ ଗତ ଅଗଷ୍ଟ ୧୯ ତାରିଖରେ ଏକ ସର୍କୁଲାର୍ ଜାରି କରିଥିଲେ । ଯାହାକୁ ଲକ୍ଷ୍ୟ ରଖି ରାଜ୍ୟରେ ମଧ୍ୟ ଚଳିତବର୍ଷ ନାମଲେଖାରେ କୋହଳ କରାଯାଇଛି ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଚଳିତବର୍ଷର ନାମଲେଖାରେ ଏହି କୋହଳକୁ ଅନ୍ୟ ଶିକ୍ଷାବର୍ଷଗୁଡ଼ିକରେ ଏକ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯିବ ନାହିଁ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି । ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ ଓ ଓଜେଇଇ ପକ୍ଷରୁ ନାମଲେଖା ବାବଦରେ ଛାତ୍ରଛାତ୍ରୀଙ୍କୁ ଏଭଳି ସୁଯୋଗ ଦିଆଯାଇଥିବାରୁ ଓଡ଼ିଶା ମ୍ୟାନେଜମେଣ୍ଟ୍ କଲେଜ ଆସୋସିଏସନ୍ (ଓମକା) ପକ୍ଷରୁ ସ୍ୱାଗତ କରାଯାଇଛି ।
‘ଓମ୍କା’ର କାର୍ଯ୍ୟକାରୀ ସଭାପତି ଇଞ୍ଜିନିୟର ସରୋଜ କୁମାର ସାହୁ ଏହି ଅବସରରେ କହିଛନ୍ତି ଯେ, କରେନାର ଭୟାବହତାକୁ ଡରି ଯେଉଁ ଛାତ୍ରଛାତ୍ରୀମାନେ ଓଜେଇଇ କିମ୍ବା କୌଣସି ସର୍ବଭାରତୀୟ ପରୀକ୍ଷା ଦେଇପାରିନାହାନ୍ତି, ସେମାନେ ମଧ୍ୟ ନାମଲେଖାର ସୁଯୋଗ ନେଇପାରିବେ । ଯାହା ତାଙ୍କର ଗୋଟିଏ ବର୍ଷ ପାଠପଢ଼ା ନଷ୍ଟ ହେବାରୁ ରକ୍ଷା କରିବ । ମେଧାବୀ ଛାତ୍ରଛାତ୍ରୀମାନେ ପାଠପଢ଼ିବାର ପୁଣି ସୁଯୋଗ ପାଇବେ ବୋଲି ଇଞ୍ଜିନିୟର ସାହୁ କହିଛନ୍ତି ।