ଅପରାଧନ୍ୟୁଜ୍ରାଜନୀତିରାଜ୍ୟ

ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା

ସତ୍ୟଶିଖା ୧୮/୦୧/୨୦୨୧ : ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ମନିଟରିଂ ପାଇଁ ଜଣେ କାର୍ୟ୍ୟରତ ବିଚାରପତି ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ହାଇକୋର୍ଟର ଜନ ସୂଚନା ଅଧିକାରୀ ତଥା ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ୧୬ ତାରିଖ ଦିନ ଆଉ ଏକ ଚିଠି ଲେଖି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଜଣାଇଛନ୍ତି ଯେ ଡିସେମ୍ବର ପହିଲା ଦିନ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ଏଥିସହିତ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ନଭେମ୍ବର ୨୮ ତାରିଖରେ ପଠାଯାଇଥିବା ଚିଠି କୁଆଡେ ଗଲା ବୋଲି ବିଭିନ୍ନ ମହଲରେ ଯେଉଁ ସଂଶୟ ପ୍ରକାଶ ପାଇଥିଲା, ତା’ର ପରିସମାପ୍ତି ଘଟିଛି ।

ଅନ୍ୟପକ୍ଷରେ ଗତକାଲି ବିଜେଡି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନେଇ ହାଇକୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ ତିନିଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ମାର୍ଚ୍ଚ ୨୫ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି, ପରୀ ହତ୍ୟା ଘଟଣାର ତଦନ୍ତ ଲାଗି ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ ସକାଶେ ୨୦୨୦ ନଭେମ୍ବର ୨୭ ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା । ନଭେମ୍ବର ୨୮ ତାରିଖରେ ଓଡ଼ିଶା ସରକାର ଏସ୍ଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଅବଗତ କରିବା ସହିତ ତଦନ୍ତ ମନିଟରିଂ ପାଇଁ ଅଦାଲତଙ୍କୁ ଅନୁରୋଧ କରିଥିଲେ । ହେଲେ ଓଡ଼ିଶା ବିଜେପି ପରୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତକୁ ପ୍ରଥମ ଦିନରୁ ସମର୍ଥନ କରିଆସୁଛି । ମନଗଢ଼ା ଅଭିଯୋଗ ଓ ଶସ୍ତା ରାଜନୀତି ଚଳାଇଛି । ଓଡ଼ିଶା ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ନିମ୍ନସ୍ତରର ରାଜନୀତି କେବେ ବି ଦେଖିବାକୁ ମିଳିନଥିଲା ଯାହା ପରୀ ଘଟଣାରେ ଓଡ଼ିଶା ବିଜେପି ଦେଖାଉଛି । କେବଳ ସେତିକି ନୁହେଁ, ଓଡ଼ିଶାବାସୀ ରାଜ୍ୟ ବିଜେପିର ଏଭଳି ମନଗଢ଼ା ମିଥ୍ୟା ଆରୋପକୁ ପ୍ରତିଦିନ ଅନୁଧ୍ୟାନ କରିବା ସହିତ ଅତୀତରେ ବିଜେପିକୁ ଯେଭଳି ଶିକ୍ଷା ଦେଇଛନ୍ତି ପୁଣିଥରେ ତାହା ଦୋହରାଇବେ ବୋଲି ସେ କହିଛନ୍ତି ।ଉଲ୍ଲେଖଥାଉକି, ଗତ ୬ ତାରିଖ ଦିନ ଶ୍ରୀ ପଣ୍ଡାଙ୍କୁ ହାଇକୋର୍ଟ ଜନ ସୂଚନା ଅଧିକାରୀ ଦେଇଥିବା ତଥ୍ୟରେ କୁହାଯାଇଥିଲା ଯେ ତଦନ୍ତ ମନିଟରିଂ ପାଇଁ ରାଜ୍ୟ ସରକାରଙ୍କର ପତ୍ର ମିଳିନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଓ ବିଜେପି ପକ୍ଷରୁ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିକୁ ସମାଲୋଚନା କରିବା ସହିତ ସ୍ବାଧିକାର ଭଙ୍ଗ ନୋଟିସ୍ ପାଇଁ ଧମକ ଦେଇଥିଲେ । ରବିବାର ବିଜେଡି ପକ୍ଷରୁ ମୁଖପାତ୍ର ଈପ୍ସିତା ସାହୁ ଏହାର ଜବାବ ଦେଇ କହିଛନ୍ତି, ଯଦି ଲେଖାଶ୍ରୀଙ୍କର ଅଭିଯୁକ୍ତଙ୍କ ପାଇଁ ଏତେ ଲୁହ ଝରୁଛି, ତେବେ ସେ ଯାଇ କୋର୍ଟରେ ତାଙ୍କ ପାଇଁ ଲଢନ୍ତୁ । ଲେଖାଶ୍ରୀ ମାନସିକ ସନ୍ତୁଳନ ହରାଇଛନ୍ତି ଓ ହତାଶ ହୋଇ ଏଭଳି ବିବୃତି ଦେଇଛନ୍ତି ।

Show More
Back to top button