
ସତ୍ୟଶିଖା ୧୫/୦୨/୧୦୨୧ : କଳାହାଣ୍ଡି ଜିଲ୍ଲାରେ ଗତ ୨ସପ୍ତାହରେ ୬ଟି ହାତୀର ମୃତ୍ୟୁ ହେବା ଘଟଣା ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ରବିବାର ୧୪ ତାରିଖରେ ଆଉ ଏକ ବୟସ୍କ ହାତୀର ମୃତ୍ୟୁ ଘଟିଛି ଘୁଷୁରୀଗୁଡ଼ି ଝରଣା ପାଖରେ । ଷଷ୍ଠ ହାତୀ ମୃତ୍ୟୁବରଣ କରିବା ପରେ ବେଲଗାମ ହୋଇପଡ଼ିଛି ହାତୀ ମଡ଼କ । ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଘଟୁଥିବା ବେଳେ ବନ ବିଭାଗ ଅନ୍ଧାରରେ ବାଡ଼ି ବୁଲାଇବା ଛଡ଼ା ଅନ୍ୟ କିଛି ଉପାୟ ପାଉନଥିବା ଚର୍ଚ୍ଚା ହେଉଛି । ଯାହାଫଳରେ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।
କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟର ତେନ୍ତୁଳିପଦର ଗ୍ରାମ ନିକଟରେ ଗତ ୧ ତାରିଖରେ ପ୍ରଥମ ହାତୀ ମୃତ୍ୟୁବରଣ କରିଥିଲା । ଦ୍ୱିତୀୟ ହାତୀ ୮ତାରିଖ, ତୃତୀୟ ହାତୀ ୧୦ , ଚତୁର୍ଥ ହାତୀ ୧୨ତାରିଖ, ୫ମ ହାତୀ ୧୩ ତାରିଖ ଦିନ ମୃତ୍ୟୁବରଣ କରିଥିଲା । ଲଗାତାର ୬ଟି ହାତୀର ମୃତ୍ୟୁପରେ ମଧ୍ୟ ହାତୀ ମଡ଼କ ରୋକିବାରେ ବନ ବିଭାଗ ଓ ଜିଲ୍ଲା ପ୍ରାଣୀ ବିଭାଗ ବିଫଳ ହୋଇଛି । ଏନେଇ ପରିବେଶବିତ୍ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ୨ଦିନ ଧରି ବିଶେଷଜ୍ଞ ଦଳ କଳାହାଣ୍ଡିରେ ଡେରା ପକାଇଛି। କିନ୍ତୁ ମଡ଼କର ଅସଲ କାରଣ ଖୋଜିବାରେ ସଫଳତା ପାଉନାହାନ୍ତି। ବନ ବିଭାଗର ସୂଚନା ଅନୁଯାୟୀ କର୍ଲାପାଟ ଅଭୟାରଣ୍ୟରେ ୩ଟି ଦଳରେ ୧୭ଟି ହାତୀ ରହୁଥିଲେ। ହାତୀ ଗଣନା ରିପୋର୍ଟରୁ ଏହି ସୂଚନା ମିଳିଛି। ବର୍ତ୍ତମାନ ୧୭ଟି ହାତୀ ମଧ୍ୟରୁ ୬ଟି ହାତୀଙ୍କ ମୃତ୍ୟୁ ହୋଇଛି। ହାତୀ ଗଣନା ଅନୁଯାୟୀ ଆଉ କେବଳ ୧୧ଟି ହାତୀ ଥିବା ସ୍ପଷ୍ଟ ହେଉଛି । କେବଳ ମାଈ ହାତୀ ମୃତ୍ୟୁ ଘଟିବା ନେଇ ବନ ବିଭାଗର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।କଳାହାଣ୍ଡି ଜିଲ୍ଲାରେ ହାତୀ କରିଡର ସୁରକ୍ଷିତ ନଥିବା ବେଳେ ବର୍ତ୍ତମାନ ଏହା ବନ୍ୟଜନ୍ତୁ ସୁରକ୍ଷା ଧାରାର ଅସଲ ମୁଖା ଖୋଲିଦେଇଛି। କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ଆନ୍ତଃରାଜ୍ୟ ହାତୀଦାନ୍ତ ତସ୍କରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ହାତୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ବନ୍ୟପ୍ରାଣୀ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରାଣୀଧନ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଆଖିଦୃଶିଆ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନଥିବାରୁ ଜଙ୍ଗଲୀ ହିଂସ୍ରଜନ୍ତୁ ଜନବସତିମୁହାଁ ହୋଇ ମଣିଷଙ୍କ ଆକ୍ରୋଶର ଶିକାର ହେଉଛନ୍ତି ।
ଏଭଳି ସ୍ଥିତିକୁ ଦେଖିଲେ ବନ ବିଭାଗ ତରଫରୁ କର୍ଲାପାଟକୁ ଅଭୟାରଣ୍ୟ ଘୋଷଣା ପ୍ରହସନ ଭଳି ଲାଗୁଛି। କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କର୍ଲାପାଟ ଅଭୟାରଣ୍ୟର ଅସଲ ଗୁମର ହାତୀ ମଡ଼କ ଘଟଣାକୁ ନେଇ ଫିଟିବାକୁ ଆରମ୍ଭ ହୋଇଛି । ଲଗାତର ଭାବେ ବିଶେଷଜ୍ଞ ଦଳ ମଧ୍ୟ ହାତୀ ମଡ଼କ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଉନାହାନ୍ତି । କେତେବେଳେ ହେମ୍ରେଜ୍ ସେପ୍ଟିସେମିୟା ତ କେତେବେଳେ ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ଦେଉଛନ୍ତି। ଗତ କିଛିଦିନ ତଳେ ନେପାଳୀମାନେ ଶୀତ ବସ୍ତ୍ର ବିକ୍ରି ପାଇଁ ଉକ୍ତ ଅଂଚଳରେ ବୁଲାବୁଲି କରିଥିଲେ ।ହାତୀ ମଡ଼କ ଘଟଣାରେ ନେପାଳୀଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ମାଓବାଦୀଙ୍କ ଭୟରେ ଉକ୍ତ ଅଂଚଳକୁ ବନ ବିଭାଗର କର୍ମଚାରୀ ପରିଦର୍ଶନରେ ଯାଉ ନଥିବାବେଳେ ଅନେକ ଦିନରୁ ସିସିଟିଭି କ୍ୟାମେରା ସରଭିଲାନ୍ସ ମଧ୍ୟ ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଛି । ଏଣୁ ତେନ୍ତୁଳିପଦର ଘୁଷୁରୀଗୁଡ଼ି ଝରଣା ପାଣି ବିଷକ୍ରିୟା ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବନବିଭାଗ ଓ ବିଶେଷଜ୍ଞ ଦଳ ହାତୀ ମଡ଼କ ଘଟଣାରେ ତଥ୍ୟ ଲୁଚାଉଥିବା ସନ୍ଦେହରେ ପରିବେଶବିତ୍ ମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଯଦି ଏଭଳି ଭାବେ ପ୍ରତ୍ୟେକ ଦିନ ହାତୀ ମୃତ୍ୟୁବରଣ କରନ୍ତି ତାହେଲେ କିଛି ଦିନ ଭିତରେ କରଲାପାଟ ଅଭୟାରଣ୍ୟ ଜଙ୍ଗଲୀ ହାତୀ ଶୂନ୍ୟ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।