

ସତ୍ୟଶିଖା (ଢେଙ୍କାନାଳ) ୦୫.୧୦.୨୦୨୦ : ଡ୍ରେନରେ ଫସିଥିଲା ହାତୀ ଛୁଆ । ଆଉ ଛୁଆକୁ ଜଗି ରହିଥିଲେ ହାତୀପଲ । ଏପରି ଘଟଣା ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ଗୁଣଦେଇ ଛକ ନିକଟରେ । ୫୫ନମ୍ବର ଜାତୀୟ ରାଜପଥରୁ ଗୁଣଦେଈ ଗ୍ରାମକୁ ଯାଇଥିବା ରାସ୍ତା ପାର୍ଶ୍ଵରେ ଥିବା ଡ୍ରେନରେ ଏହି ହାତୀ ଛୁଆଟି ପଡି ଯାଇଥିଲା । ହାତୀ ଛୁଆର ବୟସ ପ୍ରାୟ ଦେଢ଼ ବର୍ଷ ହେବ । ଏହି ଅଂଚଳରେ ହାତୀ ପଲ ଯାତାୟାତ କରୁଥିବା ବେଳେ ଏହି ଦେଢ଼ ବର୍ଷର ହାତୀ ଛୁଆଟି ଏହି ଡ୍ରେନରେ ପଡି ଯାଇଥିବ ଅନୁମାନ କରାଯାଇଛି । ତେବେ ହାତୀ ପଲ ତାକୁ ଜଗି ରହିଥିଲେ । ମାତ୍ର ହାତୀ ଛୁଆଟି ଡ୍ରେନରୁ ବାହାରି ପାରି ନଥିଲା । ସକାଳେ ଗୁଣଦେଈ ଗ୍ରାମବାସୀ ଦେଖି ବନ କର୍ମଚାରୀମାନଙ୍କ ସହାୟତାରେ ହାତୀ ପଲଙ୍କୁ କିଛି ଦୂର ଘଉଡାଇଥିଲେ । ପରେ ହାତୀ ଛୁଆଟିକୁ ଡ୍ରେନରୁ ବାହାର କରିଥିଲେ । ହାତୀ ଛୁଆଟି ସୁସ୍ଥ ଥିବାବେଳେ ହାତୀ ପଲଙ୍କ ପାଖକୁ ପଳାଇଥିବା ଜଣାପଡିଛି ।