ସତ୍ୟଶିଖା (ଭୁବନେଶ୍ୱର) ୦୯/୧୨/୨୦୨୦ : ଏକାମ୍ରକ୍ଷେତ୍ର ହେବ ଭିକାରୀ ମୁକ୍ତ । ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ଅଞ୍ଚଳକୁ ଭିକାରୀମୁକ୍ତ କରାଯିବା ନେଇ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏକାମ୍ର ଯୋଜନାରେ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇଛନ୍ତି ବିଏମ୍ସି ଓ ବିଡିଏ । ‘ସହାୟ’ ଯୋଜନା ଆଧାରରେ ଭିକାରୀମାନଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାକୁ ସଫଳ କରିବା ଲାଗି ଏନ୍ଜିଓଙ୍କ ସହାୟତା ନିଆଯିବ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।
ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ଅନ୍ୟାନ୍ୟ ମନ୍ଦିର ନିକଟରେ ଭିକାରୀଙ୍କ ସଂଖ୍ୟା ବଢ଼ୁଛି । ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାରେ, ଭିକାରୀଙ୍କ ଭିକ୍ଷାବୃତ୍ତି ନିବାରଣ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ । ଏକାମ୍ରକ୍ଷେତ୍ର ଅଞ୍ଚଳରେ ଭିକାରୀ ଚିହ୍ନଟ ପାଇଁ ଏବେ ସର୍ଭେ ଚଳାଇଛି ବିଏମସି । ଚିହ୍ନଟ ଭିକାରୀଙ୍କୁ ସହାୟ ଯୋଜନା ମୁତାବକ ଥଇଥାନ କରାଯିବା ନେଇ ବ୍ୟବସ୍ଥ ହୋଇଛି । ଯେଉଁ ଭିକାରୀମାନେ ନିଜ ଘରକୁ ଫେରି ଯିବାକୁ ଚାହିଁବେ ସେମାନଙ୍କୁ ଘରେ ପହଞ୍ଚାଇବାରେ ସରକାର ସାହାଯ୍ୟ କରିବେ ।
ଏକାମ୍ର ଯୋଜନା ସମ୍ପୂର୍ଣ୍ଣ ହେଲେ ମନ୍ଦିରମାଳିନୀକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବାକୁ ସରକାର ପ୍ରୟାସ କରିବେ । ଯେପରି ଦେଶବିଦେଶରୁ ପର୍ଯ୍ୟଟକମାନେ ଏକାମ୍ରକ୍ଷେତ୍ର ପରିଦର୍ଶନରେ ଆସିବେ । କିନ୍ତୁ ତେବେ ମନ୍ଦିର ସାମନାରେ ବସୁଥିବା ଭିକ୍ଷୁକଙ୍କ ସେମାନଙ୍କ ମନରେ ତିକ୍ତ ଅନୁଭୂତି ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହାର ନିରାକରଣ ଲାଗି ସରକାର ଭିକାରୀ ମୁକ୍ତ ଯୋଜନାକୁ ପ୍ରାଥମିକତା ଦେଉଥିବା ଜଣାପଡିଛି ।