ସତ୍ୟଶିଖା (ଭୁବନେଶ୍ୱର) ୦୫/୧୨/୨୦୨୦ : ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ତଥା ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ପାଇଁ ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିଲେ । ଏହା ପରେ ଏକାମ୍ର ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଶ୍ରୀଲିଙ୍ଗରାଜ ମନ୍ଦିରରୁ ସାନେଟୋରିୟମ ଛକକୁ ୬୦ ଫୁଟିଆ ରାସ୍ତା ନିର୍ମାଣ ପାଇଁ କାମ ଆରମ୍ଭ ହୋଇଛି । ଏଥିପାଇଁ ବିନ୍ଦୁସାଗର କଡ଼ରେ ଥିବା ଘରୋଇ ଜମି ଅଧିଗ୍ରହଣ ପାଇଁ ଜମି ମାଲିକଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ଏନେଇ ଜମି ମାଲିକମାନେ ଆଜି ବିଏମ୍ସିର ଡେପୁଟି କମିସନର କମଲ୍ଜିତ୍ ଦାସଙ୍କ ସହ ଆଲୋଚନା କରିଛନ୍ତି । ଜମି ମାଲିକମାନଙ୍କ ସହ ଶ୍ରୀ ଦାସ ବିଏମ୍ସି କାର୍ଯ୍ୟାଳୟରେ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଛନ୍ତି ।
କପିଳେଶ୍ୱର ରାସ୍ତା ପାଇଁ ନୂଆ ସର୍ଭେ
ପୁରୁଣା ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱରକୁ ନିର୍ମାଣ ହେବାକୁ ଥିବା ପ୍ରଶସ୍ତ ରାସ୍ତା ପାଇଁ ନୂଆ ସର୍ଭେ ଆରମ୍ଭ ହୋଇଛି । ସାମନ୍ତରାପୁର ନିକଟରୁ ଗଙ୍ଗୁଆ କଡ଼ରେ ନୂଆଗାଁ ଦେଇ ଯିବାକୁ ଥିବା ଏହି ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ନୂଆ ସର୍ଭେ ଆରମ୍ଭ କରାଯାଇଛି । ପୂର୍ବରୁ ଏହି ରାସ୍ତା ପାଇଁ ହୋଇଥିବା ପୁରୁଣା ସର୍ଭେ ଅନୁସାରେ ଜମି ଅଧିଗ୍ରହଣ ହୋଇ ନପାରିବାରୁ ଏବେ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି ।
ଏହି ନୂଆ ସର୍ଭେକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଖୁସିବ୍ୟକ୍ତ କରିଛନ୍ତି । କପିଳେଶ୍ବର ଗ୍ରାମବାସୀମାନେ ଏକ ନକ୍ସା ପ୍ରସ୍ତୁତ କରି ପୂର୍ତ୍ତ ବିଭାଗ ସଚିବଙ୍କୁ ପ୍ରଦାନ କରିଛନ୍ତି । ନୂଆ ସର୍ଭେ ଅନୁସାରେ, ପ୍ରଶସ୍ତ ରାସ୍ତା ନିର୍ମାଣ ହେଲେ କପିଳେଶ୍ବର ପୀଠର ବିକାଶ ହେବା ସହ ପର୍ଯ୍ୟଟନ ଶିଳ୍ପର ମଧ୍ୟ ବିକାଶ ହେବ ବୋଲି ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି । ପୂର୍ବତନ କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୂପକାରଙ୍କ କହିବା କଥା, ଏହି ରାସ୍ତା ହେଲେ, ମନ୍ଦିରକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ କହିବା କଥା, ଏକାମ୍ର ପ୍ରୋଜେକ୍ଟ ସହ କପିଳେଶ୍ବରକୁ ସାମିଲ ପାଇଁ ଯୋଜନା ଚାଲିଛି । ଏଥିପାଇଁ ସାମନ୍ତରାପୁରଠାରୁ କପିଳେଶ୍ବରକୁ ରାସ୍ତା ନିର୍ମାଣ କରାଯିବ । ତେଣୁ ଗଙ୍ଗୁଆ ନାଳ ଉପରେ ବ୍ରିଜ୍ ତିଆରି ପାଇଁ ସର୍ଭେ ଆରମ୍ଭ ହୋଇଛି । ପ୍ରକାଶଯୋଗ୍ୟ, ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ରଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ପୀଠକୁ ବର୍ଷ ସାରା ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ପ୍ରଭୁ କପିଳନାଥଙ୍କ ଦର୍ଶନ ପାଇଁ ଆସିଥା’ନ୍ତି । ତେଣୁ ଏକାମ୍ର ପ୍ରକଳ୍ପରେ କପିଳେଶ୍ବରକୁ ଯୋଡ଼ିବା ନିହାତି ଜରୁରି ବୋଲି ଦାବି ହେଉଛି ।