
ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୦୧/୨୦୨୧ : ଚୀନ୍ରୁ ନିବେଶ ପାଉଥିବା ଆର୍ଥିକ ପ୍ରଯୁକ୍ତି ଋଣ ଦାତାଙ୍କ ବିରୋଧରେ ଆରମ୍ଭ ହେବ ଯାଞ୍ଚ । ବିଭିନ୍ନ ରାଜ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିଆଇଡିଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅନୁନ୍ୟ ୨୪ଟି ଫିନ୍ଟେକ୍ କମ୍ପାନୀଙ୍କ ସାଙ୍ଗକୁ ବବୁଲ ଲୋନ, ଫ୍ଲିପ୍ କ୍ୟାସ୍, ଗୋ କ୍ୟାସ୍ ଓ ସ୍ନାପଲ୍ଟ ଲୋନଙ୍କୁ ନେଣଦେଣ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ ଇଡି ଓ ସିଆଇଡି ପେଟିଏମ୍ ଓ ରାଜୋରପେଙ୍କୁ ଲିଖିତ ନୋଟିସ୍ ଜାରି କରିଥିବା ବେଳେ ଉପରୋକ୍ତ କମ୍ପାନୀମାନଙ୍କୁ ଦିଆନିଆ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପେମେଣ୍ଟ ଗେଟୱେକୁ ଚୀନ୍ ସମର୍ଥିତ ଫିନଟେକ୍ କମ୍ପାନୀଙ୍କ ଆକାଉଣ୍ଟ ରଦ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ତେବେ ନୋଟିସ୍ର ପେଟିଏମ୍ କୌଣସି ଉତ୍ତର ଦେଇ ନଥିବା ବେଳେ ରାଜୋରପେ ଏଥିରୁ ଅନେକ ଆପ୍ ଉପରେ କଟକଣା ଲଗାଇସାରିଥିବାର ସୂଚିତ କରିଛନ୍ତି । ସେହିପରି ମାମଲାରେ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ ଲାଗି ମଧ୍ୟ ରାଜୋରପେ ତାର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି ।
ରିପୋର୍ଟ ଅନୁସାରେ ରାଜୋରପେ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ଯାଞ୍ଚ ନିର୍ଦ୍ଦେଶ ମଧ୍ୟ ଦିଆଯାଇନି । ସେପଟେ ସଂସ୍ଥାର ମୁଖପାତ୍ର କମ୍ପାନୀ ୩-୪ମାସ ପୂର୍ବେ ଏପରି ୩୦୦ରୁ ୪୦୦ ଆପ୍ଙ୍କ ଉପରେ ପ୍ରତିବନ୍ଧକ ଲଗାଇସାରିଛନ୍ତି । ପ୍ରାୟ ୯୫ ପ୍ରତିଶତ ଫିନଟେକ୍ ଆପ୍ ୟୁଜର ଦେୟ ପୈଠ ଲାଗି ରାଜରପେ ବ୍ୟବହାର କରନ୍ତି । ଏହି ସବୁ ଆପ୍ଙ୍କ ବିରୋଧରେ ମନିଲଣ୍ଡ୍ରିଂ ଅଭିଯୋଗର ଯାଞ୍ଚ ମଧ୍ୟ ହେଉଛି ।