ବାଗଚୀ ଦେଲେ ଅଢ଼େଇ କୋଟି, ଆସନ୍ତାକାଲିଠୁ ପୁଣି ଦେଖାଦେବେ


ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ କୋଭିଡ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ଦାନ କରିଛନ୍ତି। ଏହାସହିତ ଶ୍ରୀ ବାଗଚୀ ଆସନ୍ତାକାଲିଠୁ ପୁଣିଥରେ ମଇଦାନକୁ ଫେରିବେ ଓ କୋଭିଡ୍ ମୁଖପାତ୍ର ଭାବେ ଗଣମାଧ୍ୟମକୁ ସୂଚନା ଦେବେ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀ ବାଗଚୀ ଆଜି ତାଙ୍କ ପତ୍ନୀ ତଥା ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଧ୍ୟକ୍ଷ ସୁସ୍ମିତା ବାଗଚୀଙ୍କ ସହ ଲୋକସେବା ଭବନ ଯାଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟ ପତିପତ୍ନୀଙ୍କୁ ମନ୍ତ୍ରୀ ପାହ୍ୟା ସୁବିଧା ମିଳିଛି। ଉଭୟ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ ପ୍ରଶଂସା କରିବା ସହ ସେମାନଙ୍କ ଦାନ ଅର୍ଥକୁ ବଲାଙ୍ଗିର ଜିଲ୍ଲାରେ କୋଭିଡ୍ ସହାୟତା ବାବଦରେ ଖର୍ଚ୍ଚ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ବାଗଚୀ ବଲାଙ୍ଗିରର ପାଟଣାଗଡ଼ରେ ଜନ୍ମ ହୋଇଥିବାବେଳେ ଶ୍ରୀମତୀ ବାଗଚୀ ମଧ୍ୟ ସେଠାର ସରକାରୀ ସ୍କୁଲରେ ପାଠ ପଢ଼ିଛନ୍ତି।
ଆହୁରି ପଢ଼ନ୍ତୁ
Chairman Skill Development Authority Sri Subroto Bagchi & Chairperson Mo School Smt Susmita Bagchi handed over cheque for 2.5 Cr to support COVID relief in Bolangir Dist to honour their beginnings. Sri Bagchi was born in Patnagarh where Smt Bagchi also attended her first school. pic.twitter.com/bpNRelbHVe
— ChiefSecyOdisha (@SecyChief) June 5, 2020
ଅନ୍ୟପକ୍ଷରେ, ଗତ ମେ’ ୧୫ତାରିଖଠୁ ଗଣମାଧ୍ୟମ (କରୋନା ବୁଲେଟିନ୍) ସମ୍ମୁଖକୁ ଆସୁନଥିବା ଶ୍ରୀ ବାଗଚୀ ଆସନ୍ତାକାଲିଠୁ ପୁଣିଥରେ ଗୀତଗୋବିନ୍ଦ ସଦନରେ ଅପରାହ୍ନ ସାଢ଼େ ୪ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ବୁଲେଟିନ୍ ଦେବେ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ‘କୋଭିଡ୍-୧୯’ ପରିଚାଳନାକୁ ନେଇ ଏବେ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଆଶାତୀତ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଶ୍ରୀ ବାଗଚୀଙ୍କ ମାଧ୍ୟମରେ ପୁଣିଥରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି।
[ad_2]