ମେଳାରେ ପ୍ରସାଦ ଖାଇ ୨୮ ଗୁରୁତର

ସତ୍ୟଶିଖା( ଗୁରୁଗ୍ରାମ )୧୩.୦୪.୨୦୨୨ :   ମେଳାରେ ଅପମିଶ୍ରିତ ପ୍ରସାଦ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ଅନେକ ଶିଶୁଙ୍କ ସମେତ ମୋଟ ୨୮ ଜଣ। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଛୋଟ ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ହରିଆଣାର ଫାରୁକନଗର ନିକଟରେ ଥିବା ମୁବାରିକପୁର ଠାରେ ଆୟୋଜିତ ମେଳାରେ ଏପରି ଘଟଣା ଘଟିଛି। ମଙ୍ଗଳବାର ରାତିରେ ମେଳା ଚାଲିଥିବା ବେଳେ ସମସ୍ତଙ୍କୁ ପ୍ରସାଦ ସ୍ୱରୂପ କିଛି ଜୁସ୍ ପିଇବାକୁ ଦିଆଯାଇଥିଲା। ଏହାକୁ ପିଇବା ପରେ ହଠାତ୍‌ ୮ରୁ ୧୦ ଛୋଟ ପିଲାଙ୍କ ସମେତ ୨୮ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ।

ସେମାନଙ୍କୁ ତୁରନ୍ତ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କୁ ପ୍ରାଥମିକ ଚିକତ୍ସା ଯୋଗା ଦିଆଯାଇଛି। କିଛି ପିଲାଙ୍କୁ ଛାଡ଼ି ବାକି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଅନ୍ୟପକ୍ଷରେ ଘଟଣା ପରେ ମେଳାର ମିଳୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ଯାଞ୍ଚ ଆରମ୍ଭ ହୋଇଛି। ପୁଲିସ୍ ପୂରା ଘଟଣାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ମଧ୍ୟ କରୁଛି। ରିପୋର୍ଟ ଲେଖା ହେବା ବେଳକୁ କେଉଁ ପରିସ୍ଥିତିରେ ସମସ୍ତେ ଅସୁସ୍ଥ ହେଲେ, ତା’ର ପ୍ରକୃତ କାରଣ ଜଣାପଡ଼ିନି।

Exit mobile version