
ସତ୍ୟଶିଖା ୨୦/୦୧/୨୦୨୧ : ଇଲାହାବାଦ ହାଇକୋର୍ଟ ଲିଭଇନ ରିଲେସନସିପକୁ ନେଇ ରାୟ ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି ବିବାହିତ ହୋଇ ପର ପୁରୁଷ ସହ ସ୍ୱାମୀ-ସ୍ତ୍ରୀ ଭଳି ଲିଭଇନରେ ରହିବା ସମ୍ପର୍କ ନୁହେଁ, ଏହା ଅପରାଧ । ପର ପୁରୁଷ ସହ ଲିଭଇନରେ ରହିବା ଅରପଡ଼ା ଶ୍ରେଣୀଭୁକ୍ତ । ଜଷ୍ଟିସ୍ ଏସପି କେଶରୱାନି, ଡ.ୱାଇକେ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ହାଥରସ ଜିଲ୍ଲା ଶାସନୀ ଥାନା ଅଞ୍ଚଳରେ ରହୁଥିବା ଆଶା ଦେବୀ ଓ ଅରବିନ୍ଦଙ୍କ ଆବେଦନକୁ ଖାରଜ କରି ଏହିଭଳି ରାୟ ଦେଇଛନ୍ତି । ଆଶା ଦେବୀଙ୍କ ବିବାହ ମହେଶ ଚନ୍ଦ୍ରଙ୍କ ସହିତ ହୋଇଛି । ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇନି । ଏବେ ବି ସେମାନେ ସ୍ୱାମୀ-ସ୍ତ୍ରୀ । କିନ୍ତୁ ଆଶା ଦେବୀ ନିଜ ସ୍ୱାମୀଙ୍କୁ ଛାଡି ଆଉ ଜଣେ ପୁରୁଷଙ୍କ ସହ ସ୍ୱାମୀ ସ୍ତ୍ରୀ ଭଳି ରୁହନ୍ତି ।ଆବେଦନକାରୀ ଆଶା ଦେବୀ ମହେଶ ଚନ୍ଦ୍ରଙ୍କ ବିବାହିତା ସ୍ତ୍ରୀ । ଉଭୟଙ୍କ ତଲାକ ହୋଇନି । କିନ୍ତୁ ସେ ସ୍ୱାମୀଙ୍କ ସହ ନ ରହି ଅରବିନ୍ଦ ନାମକ ପୁରୁଷ ବନ୍ଧୁଙ୍କ ସହ ଲିଭଇନରେ ରୁହନ୍ତି । କୋର୍ଟ କହିଛନ୍ତି ଏହା ଲିଭଇନ ରିଲେସନ ନୁହେଁ ବରଂ ଦୁରାଚାର ବା ଅପରାଧ ଯେଉଁଥିପାଇଁ ପୁରୁଷ ଅପରାଧୀ । ଆବେଦନକାରୀ କହିଛନ୍ତି ଯେ ସେମାନେ ଲିଭଇନ ରିଲେସନରେ ଅଛନ୍ତି । ସେଥିପାଇଁ ସେମାନଙ୍କୁ ତାଙ୍କ ପରିବାର ଠାରୁ ସୁରକ୍ଷା ପ୍ରଦାନ କରାଯାଉ । କୋର୍ଟ କହିଛନ୍ତି, ବିବାହିତା ମହିଳାଙ୍କ ସହ ଧର୍ମ ପରିବର୍ତ୍ତନ କରି ଲିଭଇନ୍ ରିଲେସନରେ ରହିବା ମଧ୍ୟ ଅପରାଧ । ଅବୈଧ ସମ୍ବନ୍ଧ ରଖୁଥିବା ପୁରୁଷ ମଧ୍ୟ ଅପରାଧୀ ।
ଇଲାହାବାଦ କୋର୍ଟ କହିଛନ୍ତି, ଆଇନଗତ ଅଧିକାରକୁ କାର୍ଯ୍ୟକାରୀ କରିବା କିମ୍ବା ସୁରକ୍ଷା ଦେବା ପାଇଁ ଏହି ଆଦେଶ ଦିଆଯାଇପାରେ କିନ୍ତୁ କୌଣସି ଅପରାଧୀକୁ ସୁରକ୍ଷା ଦେବା ପାଇଁ ନୁହେଁ । ଯଦି ଅପରାଧୀକୁ ସୁରକ୍ଷା ଦେବାକୁ ଆଦେଶ ଦିଆଯାଏ ତାହେଲେ ଏହା ଅପରାଧକୁ ସୁରକ୍ଷା ଦେବା ସହ ସମାନ । ଯେଉଁ ପୁରୁଷ କୌଣସି ବିବାହିତା ମହିଳାଙ୍କ ସହ ଲିଭଇନରେ ରହୁଛନ୍ତି, ସେ ଭାରତୀୟ ଦଣ୍ଡ ବିଧାନ ସଂହିତା ୪୯୪ ଓ ୪୯୫ (ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ଥାଇ ଦ୍ୱିତୀୟ ବିବାହ କରିବା) ଅନୁଯାୟୀ ଦୋଷୀ । ଠିକ୍ ସେହିଭଳି ଧର୍ମ ପରିବର୍ତ୍ତନ କରି ବିବାହିତାଙ୍କ ସହ ରହିବା ମଧ୍ୟ ଅପରାଧ ।