ରାଜ୍ୟସ୍ପେଶାଲ୍ ରିପୋର୍ଟ

କରୋନା ଯୋଗୁ ୬ ଦିନରେ ବନ୍ଦ ହେଲାଣି ୩ ଥାନା l

ସତ୍ୟଶିଖା ( ଭୁବନେଶ୍ୱର ) ୨୩.୦୭.୨୦୨୦ : ଅତି କ୍ଷିପ୍ର ଗତି ରେ ବଢ଼ିବାରେ ଲାଗିଛି କରୋନା ଭୁତାଣୁ । କୋଭିଡ୍‌ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ପୋଲିସ ବି ଏଥିରୁ ବାଦ୍‌ ଯାଇ ନାହାନ୍ତି  ।   ପରିସ୍ଥିତି ଏଭଳି ହୋଇଛି ଯେ, ଗୋଟିଏ ପରେ ଗୋଟିଏ ଥାନା  ସିଲ୍‌ ହେବାରେ ଲାଗିଛି । ୬ ଦିନରେ ଅଦ୍ୟାବଧି ୩ଟି ଥାନା ସିଲ୍‌ ହୋଇଛି। ଗୋଟିଏ ପରେ ଗୋଟିଏ ଥାନା ଏଭଳି ସିଲ୍‌ ହେଲେ ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ଆହ୍ୱାନ ହେବା ସହ ଅନ୍ୟ ଥାନାଗୁଡ଼ିକ ପାଇଁ ଚାପ ସୃଷ୍ଟି କରିବ । ଫଳରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହେବ । ରାଜ୍ୟରେ ଏଭଳି ସ୍ଥିତିକୁ ନେଇ କମିସନରେଟ୍‌ ପୁଲିସରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଜୁଲାଇ ୧୩ ତାରିଖରେ କୋରାପୁଟ ବୈପାରୀଗୁଡ଼ା ଥାନାର ଜଣେ କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ହେବା ପରେ ଏହି ଥାନାକୁ ସିଲ୍‌ କରାଯାଇଥିଲା । ସିଲ୍‌ କରାଯିବା ପରେ ସମସ୍ତ ଏତଲାକରୀଙ୍କୁ ଜୟପୁର ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେହିଭଳି ଏହି ଥାନା ଅଞ୍ଚଳ‌ରେ ଘଟୁଥିବା ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଜୟପୁର ଥାନାକୁ କୁହାଯାଇଥିଲା । ଯଦିଓ ଏହି ସମୟରେ କୌଣସି ବଡ଼ ଅଘଟଣ ଘଟିନଥିଲା ତଥାପି ଜୟପୁର ଥାନା ଚାପରେ ରହିଥିଲା ।

ଜୁଲାଇ ୧୭ ତାରିଖରେ କୋରାପୁଟ ଟାଉନଥାନା ସିଲ୍‌ ହୋଇଥିଲା। ଏଠାରେ ଜଣେ ପଜିଟିଭ୍‌ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା । ଏହି ସମୟରେ ଟାଉନ ଥାନାର ସମସ୍ତ ଦାୟିତ୍ୱ ସଦର ଥାନା ନେଇଥିଲା । ଜୁଲାଇ ୧୯ ତାରିଖରେ ଧାମନଗର ଥାନାକୁ ସିଲ୍‌ କରାଯାଇଛି । ଏଠାରେ ଜଣେ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନ ଏହାକୁ ସିଲ୍‌ କରିଛି । ଏହି ସମୟରେ ହେଉଥିବା ଏତଲା ଭଣ୍ଡାରିପୋଖରୀ ଥାନା ଗ୍ରହଣ କରୁଛି । ଅପରାଧ ନିୟନ୍ତ୍ରଣ ସହ ଅନ୍ୟ ସମସ୍ତ ଦାୟିତ୍ୱ ମଧ୍ୟ ଏହି ଥାନା ଉପରେ ରହଛି ।

ଏଣୁ ଦୁଇଟି ଥାନାଞ୍ଚଳ ଦାୟିତ୍ବ ନେଇ ଭଣ୍ଡାରି ପୋଖରୀ ଥାନା ଚାପରେ ରହିଛି । ସେହିଭଳି ଦୁଇଟି ଥାନାଞ୍ଚଳରେ ପାଟ୍ରୋଲିଂ କରିବା ପାଇଁ ଗୋଟିଏ ଥାନାକୁ କାଠିକର ପାଠ ହେଉଛି ଓ ଅପରାଧୀଙ୍କୁ ସୁହାଉଛି । ନିକଟ ଅତୀତ‌ରେ କମିସନରେଟ ପୁଲିସର ଦୁଇ କନେଷ୍ଟବଳଙ୍କର ପଜିଟିଭ୍‌ ବାହାରିବା ପରେ ଏକ ଥାନାକୁ ସାନିଟାଇଜ୍‌ କରାଯିବା ସହ ସମସ୍ତ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି । ପୁଲିସ ସେବା ଭବନକୁ ମଧ୍ୟ ଦୁଇଦିନ ବନ୍ଦ ରଖାଯାଇଥିଲା । ସମସ୍ତ ଥାନା ଡିସିଓ ଟେବୁଲ୍‌କୁ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଉଠାଇ ଅଣାଯାଇଛି। କୌଣସି ଲୋକକୁ ଭିତରକୁ ପଶିବାକୁ ଦିଆଯାଉ ନାହିଁ । କିନ୍ତୁ ପ୍ରତ୍ୟେକ ଦିନର ଆଇନ ଶୃଙ୍ଖଳା ସହ ନାକାବନ୍ଦୀରେ ପୁଲିସ ଏନ୍‌ଫୋର୍ସମେଣ୍ଟ କରୁଥିବାରୁ ପରିସ୍ଥିତି ଜଟିଳ ହୋଇଛି । ଏଣୁ ଏହାକୁ କିପରି ସଫଳତାର ସହ ମୁକାବିଲା କରିହେବ ପ୍ରଶାସନ ଗୁରୁତ୍ବର ସହ ଚିନ୍ତା କରୁଛନ୍ତି I

Show More
Back to top button