ସତ୍ୟଶିଖା (ଭୁବନେଶ୍ୱର) ୧୧/୦୧/୨୦୨୧ : ରାଜଧାନୀରେ ପୁଣି ଆତଙ୍କ ଖେଳାଇଲେଣି ନିଶାଦିଆ ଲୁଟେରା । ଟାର୍ଗେଟରେ ରହିଛି ବରମୁଣ୍ଡା ବସଷ୍ଟାଣ୍ଡ । ଯାତ୍ରୀମାନଙ୍କ ସହ ବନ୍ଧୁତା କରି ଖାଦ୍ୟ, ପାନୀୟରେ ନିଶା ଦେଇ ସର୍ବସ୍ବ ଲୁଟି ନେଉଛନ୍ତି । ଗତ କିଛିଦିନ ଧରି ଏଭଳି ଘଟଣା ବଢ଼ିବାରେ ଲାଗିଛି । ଅଭିଯୋଗ କମ୍ ହେଉଛି, ଲୁଟେରା ବି ପୁଲିସ ହାତରେ ଧରା ପଡ଼ୁନାହାନ୍ତି । ଗତ ଅକ୍ଟୋବରରେ ଦୁଇ ଜଣ ଧରା ପଡ଼ିଥିଲେ ମଧ୍ୟ ଆହୁରି ଅନେକ ଲୁଟେରା ଏବେ ବି ଫେରାର ଅଛନ୍ତି । ଏହା ପଛରେ ଏକ ବିଧିବଦ୍ଧ ରାକେଟ୍ କାମ କରୁଥିବା ଜଣାପଡ଼ିଛି । ପୂର୍ବରୁ ରେଳଯାତ୍ରୀମାନେ ସେମାନଙ୍କ ଟାର୍ଗେଟରେ ଥିଲେ । ମାତ୍ର କରୋନା କଟକଣା ଯୋଗୁଁ ରେଳ ଚଳାଚଳ କମି ଯାଇଥିବାରୁ ଏବେ ସେମାନେ ବରମୁଣ୍ଡାମୁହାଁ ହୋଇଛନ୍ତି । ଆଉ ସୁଯୋଗ ଦେଖି ନିରୀହ ବସ୍ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଛନ୍ତି । ଏବେ ମାସକୁ ୧୫ରୁ ୨୦ ଜଣ ଲୁଟର ଶିକାର ହେଉଛନ୍ତି । ଦୁଇ ବର୍ଷ ଭିତରେ ରାଜଧାନୀରେ ଏମିତି ପ୍ରାୟ ଦୁଇ ଶହ ଲୁଟ୍ ଘଟଣା ଘଟିଥିବା ଜଣାପଡ଼ିଛି ।
ଶନିବାର ରାତିରେ ରାୟଗଡ଼ା ଟିକିରିର ଜଣେ ଯୁବକ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି । ଯୁବକଙ୍କୁ ନିଶାଦେଇ ୧୭ ହଜାର ଟଙ୍କା ଓ ମୋବାଇଲ ଲୁଟିବା ପରେ ଲୁଟେରାମାନେ ତାଙ୍କୁ ବସଷ୍ଟାଣ୍ଡରେ ଫିଙ୍ଗି ଦେଇଛନ୍ତି । ଏପରିକି ମାଡ଼ ମାରି ତାଙ୍କ ମୁହଁ ଫଟାଇ ଦେଇଥିବା ଜଣାପଡ଼ିଛି । ଯୁବକ ଜଣକ ଆଜି ଘରେ ନ ପହଞ୍ଚିବାରୁ ଆଜି ରାତିରେ ତାଙ୍କ ଭାଇ ଖୋଜିଖୋଜି ପୁରୁଷୋତ୍ତମ ଭୁବନେଶ୍ୱରରେ ପହଞ୍ଚି ଭାଇଙ୍କୁ ଉଦ୍ଧାର କରି ଖଣ୍ଡଗିରିର ଏକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଲୁଟ୍ର ଶିକାର ଯୁବକଙ୍କର ଏଯାଏ ନିଶା କଟି ନ ଥିବାରୁ ସେ ଭଲ ଭାବେ କଥା କହି ପାରୁନାହାନ୍ତି । ତେଣୁ ଏ ନେଇ ଥାନାରେ ଏଯାଏ ଅଭିଯୋଗ କରିପାରିନାହାନ୍ତି ।