ଅପରାଧନ୍ୟୁଜ୍ରାଜ୍ୟ

ନିଶା ଦିଆ ଲୁଟେରା ପୁଣିମାତିଲେଣି : ଏବେ ଟାର୍ଗେଟରେ ବରମୁଣ୍ଡା ବସଷ୍ଟାଣ୍ଡ୍‌

ସତ୍ୟଶିଖା (ଭୁବନେଶ୍ୱର) ୧୧/୦୧/୨୦୨୧ : ରାଜଧାନୀରେ ପୁଣି ଆତଙ୍କ ଖେଳାଇଲେଣି ନିଶାଦିଆ ଲୁଟେରା । ଟାର୍ଗେଟରେ ରହିଛି ବରମୁଣ୍ଡା ବସଷ୍ଟାଣ୍ଡ । ଯାତ୍ରୀମାନଙ୍କ ସହ ବନ୍ଧୁତା କରି ଖାଦ୍ୟ, ପାନୀୟରେ ନିଶା ଦେଇ ସର୍ବସ୍ବ ଲୁଟି ନେଉଛନ୍ତି । ଗତ କିଛିଦିନ ଧରି ଏଭଳି ଘଟଣା ବଢ଼ିବାରେ ଲାଗିଛି । ଅଭିଯୋଗ କମ୍‌ ହେଉଛି, ଲୁଟେରା ବି ପୁଲିସ ହାତରେ ଧରା ପଡ଼ୁନାହାନ୍ତି । ଗତ ଅକ୍ଟୋବରରେ ଦୁଇ ଜଣ ଧରା ପଡ଼ିଥିଲେ ମଧ୍ୟ ଆହୁରି ଅନେକ ଲୁଟେରା ଏବେ ବି ଫେରାର ଅଛନ୍ତି । ଏହା ପଛରେ ଏକ ବିଧିବଦ୍ଧ ରାକେଟ୍ କାମ କରୁଥିବା ଜଣାପଡ଼ିଛି । ପୂର୍ବରୁ ରେଳଯାତ୍ରୀମାନେ ସେମାନଙ୍କ ଟାର୍ଗେଟରେ ଥିଲେ । ମାତ୍ର କରୋନା କଟକଣା ଯୋଗୁଁ ରେଳ ଚଳାଚଳ କମି ଯାଇଥିବାରୁ ଏବେ ସେମାନେ ବରମୁଣ୍ଡାମୁହାଁ ହୋଇଛନ୍ତି । ଆଉ ସୁଯୋଗ ଦେଖି ନିରୀହ ବସ୍‌ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଛନ୍ତି । ଏବେ ମାସକୁ ୧୫ରୁ ୨୦ ଜଣ ଲୁଟର ଶିକାର ହେଉଛନ୍ତି । ଦୁଇ ବର୍ଷ ଭିତରେ ରାଜଧାନୀରେ ଏମିତି ପ୍ରାୟ ଦୁଇ ଶହ ଲୁଟ୍ ଘଟଣା ଘଟିଥିବା ଜଣାପଡ଼ିଛି ।

ଶନିବାର ରାତିରେ ରାୟଗଡ଼ା ଟିକିରିର ଜଣେ ଯୁବକ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି । ଯୁବକଙ୍କୁ ନିଶାଦେଇ ୧୭ ହଜାର ଟଙ୍କା ଓ ମୋବାଇଲ ଲୁଟିବା ପରେ ଲୁଟେରାମାନେ ତାଙ୍କୁ ବସଷ୍ଟାଣ୍ଡରେ ଫିଙ୍ଗି ଦେଇଛନ୍ତି । ଏପରିକି ମାଡ଼ ମାରି ତାଙ୍କ ମୁହଁ ଫଟାଇ ଦେଇଥିବା ଜଣାପଡ଼ିଛି । ଯୁବକ ଜଣକ ଆଜି ଘରେ ନ ପହଞ୍ଚିବାରୁ ଆଜି ରାତିରେ ତାଙ୍କ ଭାଇ ଖୋଜିଖୋଜି ପୁରୁଷୋତ୍ତମ ଭୁବନେଶ୍ୱରରେ ପହଞ୍ଚି ଭାଇଙ୍କୁ ଉଦ୍ଧାର କରି ଖଣ୍ଡଗିରିର ଏକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଲୁଟ୍‌ର ଶିକାର ଯୁବକଙ୍କର ଏଯାଏ ନିଶା କଟି ନ ଥିବାରୁ ସେ ଭଲ ଭାବେ କଥା କହି ପାରୁନାହାନ୍ତି । ତେଣୁ ଏ ନେଇ ଥାନାରେ ଏଯାଏ ଅଭିଯୋଗ କରିପାରିନାହାନ୍ତି ।ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ଗତକାଲି ରାତିରେ ରାୟଗଡ଼ା ଯିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରୁ ଏକ ଘରୋଇ ବସ୍‌ରେ ବସିଥିଲେ । ସେହି ସମୟରେ ତିନି ଜଣ ଯୁବକ ତାଙ୍କ ପାଖକୁ ଆସି ସେମାନେ ମଧ୍ୟ ରାୟଗଡ଼ା ଯାଉଥିବା କହିଥିଲେ । ଆଉ କଥାବାର୍ତ୍ତା କରି ତାଙ୍କ ସହ ବନ୍ଧୁତା କରି ନେଇଥିଲେ । ଏହାପରେ ସେମାନେ ନିକଟରେ ଥିବା ଏକ ହୋଟେଲକୁ ତାଙ୍କୁ ଖାଇବା ପାଇଁ ଡାକିଥିଲେ । ଖାଇବା ସମୟରେ କୌଶଳରେ ଖାଦ୍ୟରେ ନିଶା ମିଶାଇ ଦେଇଥିଲେ । ଏହି ଖାଦ୍ୟ ଖାଇବାର କିଛି ସମୟ ପରେ ସେ ଅଚେତ ହୋଇ ପଡିଥିଲେ । ଏହାପରେ ତାଙ୍କ ପାଖରୁ ୧୭ ହଜରା ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେଇଥିଲେ । ଆଜି ସକାଳେ ସେ ଘରେ ନ ପହଞ୍ଚିବାରୁ ତାଙ୍କ ବଡ଼ ଭାଇ ପୁରୁଷୋତ୍ତମ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ତାଙ୍କ ସାଙ୍ଗ ରାଜଙ୍କୁ ଫୋନ୍ କରି ଜଣାଇଥିଲେ । ରାଜ ବରମୁଣ୍ଡା ବସଷ୍ଟାଣ୍ଡରେ ଖୋଜାଖୋଜି କରିବା ପରେ ଅଚେତ ଓ କ୍ଷତାକ୍ତ ଅବସ୍ଥାରେ ଯୁବକଙ୍କୁ ପାଇଥିଲେ । ରାତିରେ ତାଙ୍କ ଭାଇ ପହଞ୍ଚିବା ପରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଯୁବକଙ୍କର ସମ୍ପୂର୍ଣ୍ଣ ଚେତା ଆସିବା ପରେ ସେ ଥାନାରେ ଅଭିଯୋଗ କରିବେ ଏବଂ ପୂରା ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି କହିଛନ୍ତି ।

Show More
Back to top button