ରାଜନୀତିରାଜ୍ୟ

ସକ୍ରିୟ ରାଜନୀତିରେ ଦ୍ରୌପଦୀ ମୁର୍ମୁ

ସତ୍ୟଶିଖା(  ବାଲେଶ୍ବର) ୧୯.୦୭.୨୦୨୧: ‘ଦଳ ଚାହିଁଲେ ମୁଁ ସାଂସଦ ଭାବେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି’। ନିକଟରେ ଝାଡ଼ଖଣ୍ଡ ରାଜ୍ୟପାଳ ପଦରୁ ଅବ୍ୟାହତି ନେବାପରେ ମୟୂରଭଞ୍ଜ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାତକାରରେ  ଏହା କହିଛନ୍ତି। ଯେତେବେଳେ ମୟୂରଭଞ୍ଜରେ ରାଜନୈତିକ ପତିଆରା ଜାହିର୍‌ ପାଇଁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଗୋଟିଚାଳନା ଅବ୍ୟାହତ ରହିଛି, ଠିକ୍‌ ସେହି ସମୟରେ ଦ୍ରୌପଦୀଙ୍କ ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ଉଭୟ ଦଳ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବିଜେପିର ଆଶାତୀତ ସଫଳତା ପରଠାରୁ ଆଦିବାସୀ ବହୁଳ ଏହି ଜିଲ୍ଲା ଚର୍ଚ୍ଚାରେ ରହିଆସିଛି। ରାଜନୈତିକ ବିଶେଷଜ୍ଞଙ୍କ ମତ ଯେ ୨୦୧୫ ମସିହାରେ ଦ୍ରୌପଦୀଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ସରକାର ଏକ ଗୋଟିଚାଳନା କରିଥିଲା। ଯାହାର ପ୍ରଭାବ‌ କାମ ଦେଇଥିଲା ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଏହି ସଫଳତା ହାସଲ କରିଥିଲା। କେବଳ ପଞ୍ଚାୟତ ନିର୍ବାଚନ ନୁହେଁ, ଗତ ସାଧାରଣ ନିର୍ବାଚନରେ ଦଳ ୮ଟି ବିଧାନସଭା ଆସନ ମଧ୍ୟରୁ ୬ଟି ଆସନରେ ବିଜୟୀ ହେବା ସହ ଲୋକସଭା ଆସନ ବି ହ‌ାତେଇଥିଲା। ଏହି ଘଟଣା ପରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଏକପ୍ରକାର ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଦୁଇ ଦଳ ଏହି ଜିଲ୍ଲାକୁ ପ୍ରମୁଖତା ଦେବା ସହ ନିଜନିଜର ଗୋଟିଚାଳନା ଅବ୍ୟାହତି ରଖିଛନ୍ତି। ଗୋଟିଏପଟେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ରାଜ୍ୟରେ ମନ୍ତ୍ରୀ ଥିବାବେଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଅନ୍ୟପଟେ, ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ସାଂସଦ ବିଶ୍ବେଶ୍ବର ଟୁଡ଼ୁ ସ୍ଥାନ ପାଇଛନ୍ତି।

Show More
Back to top button