ରାଜ୍ୟ

ଓପିଏସସିର ଅଧ୍ୟକ୍ଷ ଦାୟିତ୍ୱ ନେଲେ ଡକ୍ଟର ସତ୍ୟଜିତ ମହାନ୍ତି

ସତ୍ୟଶିଖା(ଭୁବନେଶ୍ୱର )୦୧.୦୩.୨୦୨ ୧:ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡକ୍ଟର ସତ୍ୟଜିତ ମହାନ୍ତି। ପୁଲିସ ସେବାରୁ ଗତକାଲି ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ଡକ୍ଟର ମହାନ୍ତି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ, ଡକ୍ଟର ସତ୍ୟଜିତ୍ ମହାନ୍ତି ୧୯୮୮ ମସିହାରେ ଭାରତୀୟ ପୁଲିସ୍ ସେବାରେ ଯୋଗଦେଇଥିଲ । ଡକ୍ଟର ମହାନ୍ତି ତାଙ୍କର ଏହି ୩୩ ବର୍ଷ ବୃତ୍ତିଗତ ଜୀବନ କାଳ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜମାନଙ୍କରେ ଯଥାକ୍ରମେ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଉପ-ମହାନିରୀକ୍ଷକ ଏବଂ ଆରକ୍ଷୀ ମହାନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ଦକ୍ଷତାପୂର୍ଣ୍ଣ, କୃତିତ୍ୱ ଓ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହା ବ୍ୟତୀତ ଶ୍ରୀ ମହାନ୍ତି ବିଭିନ୍ନ ପଦବୀରେ ନିଯୁକ୍ତି ପରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ ବିଭାଗ, ରାଜ୍ୟ ପୁଲିସ୍ ଗୃହ ନିର୍ମାଣ ନିଗମ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ, ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଏବଂ ଟ୍ୱିନ୍‌ ସିଟି କଟକ-ଭୁବନେଶ୍ୱରରେ ପୁଲିସ୍ କମିଶନର ଭାବେ ଅବସ୍ଥାପିତ ହୋଇ ବେଶ୍ ସଫଳତାର ସହ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ସେ ମହାନିର୍ଦେଶକ ବା ଡିଜି ପାହ୍ୟାକୁ ପଦୋନ୍ନତି ପାଇ କାରାଗାର ମହାନିର୍ଦେଶକ ଓ ନିର୍ଦେଶକ ସଂସ୍କାର ସେବା, ସ୍ୱତନ୍ତ୍ର ମହାନିର୍ଦେଶକ, ରାଜ୍ୟ ଗୋଇନ୍ଦା ବିଭାଗ ଓ ପରିଶେଷରେ ଓଡ଼ିଶା ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସଂସ୍ଥାର ମହାନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ସଂପ୍ରତି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Show More
Back to top button