ସତ୍ୟଶିଖା (ନୂଆଦିଲ୍ଲୀ) ୧୯/୦୧/୨୦୨୧ : ହ୍ବାଟସ୍ଆପ୍ ଏକ ଘରୋଇ ଆପ୍ । ଏହା ସ୍ୱେଚ୍ଛାଧୀନ। ଯଦି ପସନ୍ଦ ହେଉନି ତେବେ ତାହାକୁ ବ୍ୟବହାର କରନାହିଁ । ହ୍ବାଟସ୍ଆପ୍ର ନୂଆ ଗୋପନୀୟତା ନୀତିକୁ ବିରୋଧ କରି ଦାଖଲ ହୋଇଥିବା ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ବିଚାରପତି ସଞ୍ଜୀବ ସଚ୍ଚଦେବା ଏହା କହିଛନ୍ତି । ବ୍ୟବହାର କରୁଥିବା ସବୁ ମୋବାଇଲ୍ ଆପ୍ର ସର୍ତାବଳୀଙ୍କୁ କେବେ ପଢ଼ିଛ ନା ନାହିଁ ବୋଲି ସେ ଆବେଦନକାରୀ ଆଇନଜୀବୀ ମନୋହର ଲାଲଙ୍କୁ ପ୍ରଶ୍ନ କରିଥିଲେ । ଯଦି କେବେ ଆପ୍ଗୁଡ଼ିକର ସର୍ତାବଳୀ ପଢ଼ିବ ତେବେ ଯେଉଁ ସବୁ ବିଷୟ ପାଇଁ ଆପଣମାନେ ଅନୁମତି ଦେଉଛନ୍ତି ତାହା ଜାଣିଲେ ଚକିତ ହୋଇପଡ଼ିବେ । ହ୍ବାଟସ୍ଆପ୍ ହେଉଛି ସ୍ୱେଚ୍ଛାଧୀନ । ଯଦି ଏହାର ସର୍ତରେ ସହମତ ହୋଇପାରୁନାହଁ ତେବେ ସେଥିରେ ଯୋଗ ଦିଅନି । ଅନ୍ୟ ଆପ୍ ବ୍ୟବହାର କର ବୋଲି ବିଚାରପତି କହିଛନ୍ତି ।
ତଥ୍ୟ ଲିକ୍ ହେବା ନେଇ ଆବେଦନକାରୀ ଯେଉଁ ଆଶଙ୍କା ପ୍ରକଟ କରିଛନ୍ତି ତାହା ବୁଝିହେଉନାହିଁ ବୋଲି ବିଚାରପତି ଶ୍ରୀ ସଚ୍ଚଦେବା କହିଛନ୍ତି । ସମୟ ଅଭାବ ହେବାରୁ ଏହି ମାମଲାର ପରବର୍ତୀ ଶୁଣାଣି ଚଳିତ ମାସ ୨୫ରେ ହେବ । ଆଜି ଶୁଣାଣି ବେଳେ ହ୍ବାଟସ୍ଆପ୍ ଓ ଫେସବୁକ୍ ପାଇଁ ଦୁଇ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ମୁକୁଲ ରୋହତୋଗୀ ମାମଲା ପରିଚାଳନା କରିଥିଲେ । ଦୁହେଁ କେଉଁ ସଂସ୍ଥା ପାଇଁ ମାମଲା ପରିଚାଳନା କରୁଛନ୍ତି ତାହା ଜଣାଇବା ବେଳେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା । ତାହା ଏତେ କୌତୁକପୂର୍ଣ୍ଣ ଥିଲା ଯେ ବିଚାରପତି ମଧ୍ୟ ହସ୍ତକ୍ଷେପ କରିବାକୁ ନିଜକୁ ଅଟକାଇ ପାରିନଥିଲେ । ମୁକୁଲ କହିଥିଲେ ମୁଁ ହ୍ବାଟସ୍ଆପ୍ ପାଇଁ ହାଜର ହୋଇଛି । ସଙ୍ଗେ ସଙ୍ଗେ କପିଲ ଶିବଲ କହିଥିଲେ ଯେ ମୁଁ ହ୍ବାଟସ୍ଆପ୍ ପାଇଁ ଆସିଛି । ଆପଣ ଫେସବୁକ୍ ପାଇଁ ଆସିଛନ୍ତି । ଏହା ଜାଣିବା ପରେ ମୁକୁଲ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ବିଚାରପତି ଶ୍ରୀ ସଚ୍ଚଦେବା ଉଭୟଙ୍କୁ କହିଥିଲେ ଯେ କିଏ କେଉଁ ପକ୍ଷ ପାଇଁ ଆସିଛ ସେନେଇ ନିଜ ଭିତରେ ତଥ୍ୟ ଆଦାନପ୍ରଦାନ କରିବା ଦରକାର ।