ସତ୍ୟଶିଖା ୧୮/୧୨/୨୦୨୦ : ବୟସ ମାତ୍ର ଅଢେଇ ବର୍ଷ । ଦୁନିଆକୁ ସଠିକ ଭାବେ ବୁଝିବା ଆଗରୁ ଲିଭିଗଲା ଜୀବନ ଦୀପ । କିନ୍ତୁ ମୃତ୍ୟୁ ପୂର୍ବରୁ ବଞ୍ଚେଇଦେଇଗଲା ସାତ ସାତଟି ମୂଲ୍ୟବାନ ଜୀବନ । ଗୁଜୁରାଟ ସୁରତର ଜଣେ ଅଢେଇ ବର୍ଷର ଶିଶୁ ମୃତ୍ୟୁ ପୂର୍ବରୁ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡିକୁ ଦାନ କରିଛନ୍ତି ।
ସୂଚନା ଅନୁସାରେ ଡିସେମ୍ବର ୯ରେ ଗୁଜୁରାଟର ଭତର ଅଞ୍ଚଳର ଶାନ୍ତି ପ୍ୟାଲେସ୍ରେ ଅଢେଇ ବର୍ଷର ଶିଶୁ ଜାସ୍ ଓଜା ବାଲକୋନିରୁ ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବ୍ରେନ୍ ହାମରେଜ୍ ଯୋଗୁଁ ଡାକ୍ତର ତାଙ୍କୁ ଡିସେମ୍ବର ୧୪ ତାରିଖରେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏହା ସହ ଜାସ ଓଜା ମାତ୍ର ଅଢେଇ ବର୍ଷ ବୟସରେ ଅଙ୍ଗାଦନ କରି ବିଶ୍ବର ସବୁଠାରୁ ସାନ ଅଙ୍ଗ ଦାତା ଭାବେ ଏକ ନୂଆ ପରିଚୟ ପାଇଛନ୍ତି ।
କିଡନୀଗୁଡିକୁ ଆମ୍ବୁଲାନ୍ସରେ ଅହମଦାବାଦ ଇନଷ୍ଟିଚ୍ୟୁଟ୍ ଅଫ୍ କିଡନୀ ଡିଜିଜ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଥିଲା । ଗୋଟିଏ କିଡନୀକୁ ସୁରେନ୍ଦ୍ରନଗରର ଜଣେ ୧୩ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଜାସ୍ଙ୍କର ଫୁସଫୁସଗୁଡିକୁ ୟୁକ୍ରେନର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଥିଲା । ତେବେ ଏପରି ମହାନ କାର୍ଯ୍ୟ କରିଥିବାରୁ ଜାସଙ୍କ ପିତାମାତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଇଛି ।