

ସତ୍ୟଶିଖା( ସମ୍ବଲପୁର) ୦୭ .୦୫.୨୦୨୧: ସମ୍ବଲପୁରରେ ଲକଡାଉନରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସବୁଠି ହୋଟେଲ ଜଳଖିଆ ଦୋକାନ ବନ୍ଦ ଥିବାବେଳେ ଡଷ୍ଟବିନରୁ ଖାଦ୍ୟ ଖୋଜି ଖାଇଲେ ଭୋକିଲା । ସମ୍ବଲପୁର ବୁଢାରଜା ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ପୁଣି ଫେରିଛି ଲକ୍ଡାଉନ୍। ଏଭଳି ସ୍ଥିତିରେ ଜନଜୀବନ ପୁଣିଥରେ ଅସ୍ତବ୍ୟସ୍ତ ହୋଇପଡିଛି। ଯେଉଁ ବ୍ୟକ୍ତିମାନେ ହାତ ପାତି ମୁଠେ ଖାଇବାକୁ ପାଉଥିଲେ ସେମାନେ ଏବେ ଖାଦ୍ୟ ପାଇଁ ଡହକବିକଳ ହେଉଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ଡଷ୍ଟବିନ୍ରେ ଫିଙ୍ଗା ହୋଇଥିବା ଖାଦ୍ୟକୁ ଗୋଟେଇ ଖାବିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଅସ୍ୱାସ୍ଥ୍ୟକର ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି।
ପେଟର ଜ୍ୱାଳା ଆଗରେ ହାର ମାନିଛି ସଂକ୍ରମଣର ଭୟ । ତେବେ ଏହା ଦେଖି କିଛି ସ୍ୱେଚ୍ଛାସେବୀ ତାଙ୍କ ପାଖକୁ ଯାଇ ଖାଦ୍ୟ ଦେବା ସହ ଡଷ୍ଟବିନ ଖାଦ୍ୟ ନଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହ ସବୁଦିନେ ଖାଦ୍ୟ ପହଂଚାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସଂକ୍ରମଣ ରୋକିବାକୁ ଲକଡାଉନ୍ ଠିକ୍ ଅଛି । କିନ୍ତୁ ଭୋକିଲାଙ୍କ ପାଇଁ କଣ ବ୍ୟବସ୍ଥା ହୋଇଛି ତାହା ଉପରେ ବି ସରକାର ଚିନ୍ତା କରିବା କଥା ।
କେବଳ ଏହି ଏକମାତ୍ର ଘଟଣା ନୁହେଁ ଏଭଳି ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ କରୋନା ସଙ୍କଟ କାଳରେ ଖାଦ୍ୟ ପାଇପାରୁ ନାହାଁନ୍ତି। ଲକ୍ଡାଉନ୍ ସ୍ଥିତିରେ ଭିକ୍ଷାବୃତ୍ତି କରିବା ମଧ୍ୟ ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଭାଗ୍ୟକୁ ଆଦରି ବର୍ତ୍ତମାନ ରାସ୍ତା କଡରେ ଥିବା ଡଷ୍ଟବିନ୍ ହିଁ ଖାଦ୍ୟର ମାଧ୍ୟମ ପାଲଟିଛି। ପ୍ରଶାସନ ପକ୍ଷରୁ ଏଭଳି ଲୋକଙ୍କୁ ଚିହ୍ନଟ କରି ଥଇଥାନ ବ୍ୟବସ୍ଥା ସହ ଖାଦ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।