ସତ୍ୟଶିଖା (ନୂଆଦିଲ୍ଲୀ) ୧୯/୦୧/୨୦୨୧ : ଦେଶର କରୋନା ଭାଇରସ୍ ବିରୋଧରେ ଲଢେଇ ଜାରି ରହିଛି । କୋଭିସିଲ୍ଡ ଓ କୋଭାକ୍ସିନ୍ କୁ ଦୁଇଟି ଅସ୍ତ୍ର କରିଛି ଭାରତ । ଏହି ଦୁଇ ଅସ୍ତ୍ର ମାଧ୍ୟମରେ କରୋନା ଭାଇରସ୍ କୁ ହରାଯାଉଛି । ଭାରତରେ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ମିଳିସାରିଛି । ଏହାପରେ ଦେଶରେ ୧୬ ଜାନୁଆରୀରୁ ଦେଶବ୍ୟାପୀ ଟିକାକରଣ ଜାରି ରହିଛି । ଏହି ସମୟରେ ଭାରତ ବାୟୋଟେକ୍ ଏକ ଫ୍ୟାକ୍ଟସିଟ୍ ଜାରି କରି କହିଛି ଯେ, କେଉଁ କେଉଁ ଲୋକଙ୍କୁ କୋଭାକ୍ସିନ୍ ଟିକା ଦିଆଯିବା କଥା ନୁହେଁ ।
ଫ୍ୟାକ୍ଟ ସିଟ୍ ରେ ଏହା ମଧ୍ୟ କୁହାଯାଇଛି ଯେ, ନିୟମିତ ରୂପରେ ଔଷଧ ସେବନ କରୁଥିଲେ ଅଥବା ଦୀର୍ଘଦିନ ଧରି ରୋଗଗ୍ରସ୍ତ ଥିଲେ ଟିକାକରଣ ସମୟରେ ସମସ୍ତ କାଗଜପତ୍ର ଦେଖାଇବା ଜରୁରୀ । କେବେଠାରୁ ଏବଂ କେଉଁ ଅବସ୍ଥାରେ ରହିଛ ତାର ମଧ୍ୟ ସଠିକ୍ ତଥ୍ୟ ଦେବା ଜରୁରୀ । କମ୍ପାନୀ କହିଛି ଯେ, ଟିକାକରଣର ଦ୍ଵିତୀୟ ଡୋଜ୍ ନେବା ପରେ ତିନି ମାସ ପର୍ଯ୍ୟନ୍ତ ଟିକା ନେଇଥିବା ବ୍ୟକ୍ତିଙ୍କ ସ୍ଵାସ୍ଥବସ୍ଥା ଯାଞ୍ଚ କରାଯିବ । କୌଣସି ଟିକାପ୍ରାପ୍ତ ବ୍ୟକ୍ତିଙ୍କ ସ୍ଵାସ୍ଥବସ୍ଥାରେ ସମସ୍ୟା ଦେଖାଦେଲେ ଅଥବା ଅନ୍ୟ କୌଣସି ପ୍ରଭାବ ପଡିଲେ ସରକାରୀ ହସ୍ପିଟାଲରେ ଚିକିତ୍ସାର ସୁବିଧା ପ୍ରଦାନ କରାଯିବ । କେବଳ ଏତିକି ନୁହେଁ, ଗମ୍ଭୀର ପରିସ୍ଥିତି ଉପୁଜିଲେ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ ।