ସାହିତ୍ୟ ଓ ସଂସ୍କୃତି

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି

ସତ୍ୟଶିଖା (ଭୁବନେଶ୍ୱର) ୦୮.୧୧.୨୦୨୩ : ଆଲୋକର ପର୍ବ ଦୀପାବଳି ପାଖେଇ ଆସୁଛି । ଅନ୍ଧାର ଉପରେ ଆଲୋକର ବିଜୟର ଏହି ପର୍ବ । ଘରେ ମାଟିଦୀପ ଲଗାଇ ଏହିଦିନ ଅନ୍ଧାରକୁ ଦୂର କରାଯାଇଥାଏ ।  ନିଜ ପରିବାରର ବଡ଼ ବଡୁଆ, ମା’ ଲକ୍ଷ୍ମୀ, ମା’ କାଳୀଙ୍କ ଉଦେଶ୍ୟରେ ଦୀପ ଲଗାଇ ଅମବାସ୍ୟାର ଅନ୍ଧାରକୁ ଆଲୋକିତ କରିବେ । କିନ୍ତୁ ଏଇ ମାଟି ଦୀପ ତିଆରି କରୁଥିବା କୁମ୍ଭାରଙ୍କ ଘର ଓ ତାଙ୍କ ଜୀବନର ଅନ୍ଧକାରକୁ ଦୂର କରିବାକୁ କେହି କେବେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏବେ ଆଧୁନିକତାର ଚାକଚକ୍ୟରେ ହଜି ଯାଉଛି ମାଟି ଦୀପ ଓ ତା’ର ଚାହିଦା ।

ଆଉ ଦିନ କେଇଟାରେ ଆଲୋକର ପର୍ବ ଦୀପାବଳି । ହେଲେ ପୂର୍ବଭଳି ଆଉ ଦୀପର ଏବେ ଚାହିଦା ନାହିଁ । ଯାହାଫଳରେ କୁମ୍ଭକାର ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି। କେବଳ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କିଛି କୁମ୍ଭକାର ପରିବାର ମାଟି ଦୀପ ନିର୍ମାଣ କରୁଛନ୍ତି ।  କିନ୍ତୁ ବେପାର ନାହିଁ । ଚାଇନା ଦୀପ ସହ ଡିଜାଇନ ଦୀପ, ଏଲଇଡି ଲାଇଟ ସହ ମହମବତୀ ଏବେ ଦୀପର ସ୍ଥାନ ନେଇଛି । ଲୋକେ ଦୀପ ପ୍ରତି ମୁହଁ ଫେରାଇ ନେଉଛନ୍ତି ।

ସହରରେ ଏବେ ସୁନ୍ଦର ଅଟ୍ଟାଳିକା ସହିତ ମାର୍ବଲ ଓ ଟାଇଲସ ଚଟାଣ ଯୋଗୁଁ ଲୋକେ ଦୀପ ବଦଳରେ ମହମବତୀ ନେଇ କାମ ଚଲାଉଛନ୍ତି । ଆଉ କେତକ ତେଲ ଦର ଅଧିକା ଥିବାରୁ ମାଟି ଦୀପ ଜଳିବା କଷ୍ଟ ବୋଲି କୁହନ୍ତି । ତେଣୁ ମାଟିଦୀପ ପ୍ରତି ଲୋକେ ମୁହଁ ଫେରାଇ ନେଲେଣି । କେବଳ ବିଧି ରକ୍ଷା କରିବା ପାଇଁ ତୁଳସୀ ଚଉରା ମୂଳରେ ମାଟି ଦୀପ ଜାଳୁଛନ୍ତି । ତେଣୁ ଦୀପ ତିଆରି କରୁଛୁ ଓ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ ।

ଦୀପାବଳିରେ ମାଟି ଦୀପରେ ଜଡ଼ା ତେଲ ବା ଟୁଲ ତେଲ  ପକାଇ ଜାଳିବା ବିଧି ରହିଛି । ଲୋକେ ଆଧୁନିକ ଆଡକୁ ଯାଉଥିବା ବେଳେ ପରମ୍ପରାକୁ ଭୁଲି ଯାଉଛନ୍ତି । ଓଡ଼ିଆ ପରମ୍ପରା ଅନୁଯାୟୀ ମାଟି ଦୀପ ଜାଳିବାର ବିଧି ରହିଛି କିନ୍ତୁ ଆଧୁନିକତା ଭିତରେ ଏସବୁକୁ ଲୋକେ ଏବେ ଭୁଲି ଗଲେଣି । ସଂସ୍କୃତି ଏବେ ବି ଜୀବିତ ଅଛି ମରିନାହିଁ ତେଣୁ ମାଟି ଦୀପର କିଛି ମାତ୍ରାରେ ଆଦର ଅଛି । ମନ୍ଦିରରେ ମାଟି ଦୀପ ଲାଗୁଛି । ତେଣୁ ଅଧିକ ସଂଖ୍ୟାରେ ନହଲେ ବି କିଛି ମାତ୍ରାରେ ବଜାରରେ ମାଟି ଦୀପର ଚାହିଦା ଅଛି । ଗୋଟିଏ ପଟେ ଚାଇନା ଲାଇଟର ଚାହିଦା ଅନ୍ୟପଟେ ମାଟି କାରିଗରର ପୁରା ପରିବାର ଲାଗି ପଡିଲେ ମଧ୍ୟ ନିଜର ଉଚିତ ମୂଲ୍ୟ ପାଉନାହାଁନ୍ତି ।

Show More
Back to top button