

ସତ୍ୟଶିଖା(ଭୁବନେଶ୍ୱର )୦୮.୧୧ .୨୦୨୧: ବର୍ତ୍ତମାନ ସ୍ୱତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣାରେ ପହଞ୍ଚିଛନ୍ତି । ଏହାପରେ ଭବାନୀପାଟଣାର ଓୟୁଏଟି ପଡିଆରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ଏକ ବିଶାଳ ରାଲି ବାହାରିଥିଲା । ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ପକାଇ ମଞ୍ଚକୁ ସ୍ୱାଗତ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସଭା ମଂଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ମଧ୍ୟ ମଞ୍ଚରେ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ଦେଖିବାକୁ ମିଳିବ କି ନାହିଁ ତାହାକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । କାରଣ ମମିତା ମୃତ୍ୟୁ ପ୍ରସଙ୍ଗରେ ବିବାଦ ଘେରକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମରେ ଦିବ୍ୟଶଙ୍କରଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମସ୍ଥଳରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପସ୍ଥିତି ଏହି ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଥିଲା । ଆଉ ଯେତେବେଳେ ନବୀନଙ୍କ କାର୍ୟ୍ୟକ୍ରମ ଆରମ୍ଭ ହେଲା ସେତେବେଳେ ଦିବ୍ୟଶଙ୍କରଙ୍କୁ ମଞ୍ଚ ଉପରେ ଦେଖିବାକୁ ମିଳିଛି । ମମିତା ମେହେର ମୃତୁ୍ୟ ପ୍ରସଙ୍ଗରେ ପ୍ରବଳ ବିରୋଧ ସତ୍ତ୍ୱେ ମଞ୍ଚରେ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଅଛନ୍ତି । କଳାହାଣ୍ଡିରେ ବିଜେପି ଏହାକୁ କଡା ନିନ୍ଦା କରିବା ସହିତ, ମୁଖ୍ୟମନ୍ତ୍ରୀଙ୍କୁ ଅପଦାର୍ଥ ମୁଖ୍ୟମନ୍ତ୍ରୀ ବୋଲି ବିଜେପି କର୍ମୀମାନେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିବା ବେଳେ ସେମାନଙ୍କୁ ଶିଶୁ ଭବନ ଛକ ନିକଟରେ ପୁଲିସ୍ ଅଟକାଇଛି। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ବିଜେପି କର୍ମୀ ପ୍ରଥମ ସ୍ତର ସୁରକ୍ଷା ବ୍ୟବସ୍ଥାକୁ ପାର ହେବା ପରେ ପୁଲିସ୍ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ପୁଲିସ୍ ଅନେକ କର୍ମୀଙ୍କୁ ଉଠାଇ ନେଇଥିବା ବେଳେ ଆହୁରି ଅନେକ କର୍ମୀ ସେଠାରେ ଧାରଣାରେ ବସିଛନ୍ତି।
ଶିଶୁ ଭବନ ଛକରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରା ଦେବା ସହିତ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ସେମାନେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରର ଏୟାରପୋର୍ଟ ଛକରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାପତାକା ପ୍ରଦର୍ଶନ କରାଯାଇଥିଲା। କଳାପତାକା ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ୍ ଉଠାଇ ନେଇଥିଲା।
ସେହିପରି ଭବାନୀପାଟଣାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଜେପି ସହିତ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ସହିତ ଧର୍ମଗଡ଼ ଓ ଜୁନାଗଡ଼ ପ୍ରଭୃତି ସ୍ଥାନରୁ ଉଭୟ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଉଠାଇ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳ ଠାରୁ ଗୋଟିଏ କିଲୋମିଟର ପରିଧି ମଧ୍ୟରେ ସମସ୍ତଙ୍କୁ କଡ଼ା ଯାଞ୍ଚ କରାଯାଉଛି। ଆଜି ସକାଳୁ ମଧ୍ୟ ଖବର ଆସିଥିଲା ଯେ ଜିଲ୍ଲାର ବିଭିନ୍ନ ଥାନାରେ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି।