

ସତ୍ୟଶିଖା(ଭୁବନେଶ୍ୱର )୨.୦୯ .୨୦୨୧: ଯୁକ୍ତ ଦୁଇରେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ୍ ପରୀକ୍ଷା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଆସନ୍ତାକାଲିଠାରୁ ଆବେଦନ କରିହେବ । ୭ ତାରିଖ ହେଉଛି ଆବେଦନର ଶେଷ ଦିନ । ଯେତେ ପିଲା ଆବେଦନ କରିବେ, ସେହି ଅନୁସାରେ ପରୀକ୍ଷା ସୂଚୀ ଓ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯିବ ।
ଛାତ୍ରଛାତ୍ରୀମାନେ ବିନା ଦେୟରେ ପରୀକ୍ଷା ଦେବେ । ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ସେପ୍ଟେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ । ଆସନ୍ତା କାଲିଠୁ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଆରମ୍ଭ ହେବ । ଏଥିପାଇଁ କଲେଜଗୁଡ଼ିକୁ ଏକ ଲିଙ୍କ୍ ପ୍ରଦାନ କରାଯିବ। ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ ।
କରୋନା ପାଇଁ ଏଥର ଯୁକ୍ତ ଦୁଇ ପରୀକ୍ଷା ହୋଇ ପାରିନଥିଲା । ତେଣୁ ବିକଳ୍ପ ଉପାୟ ଭାବେ ମାଟ୍ରିକ ମାର୍କକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । ଏଥିରେ ବହୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ଅଫଲାଇନ୍ ପରୀକ୍ଷା କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।
ଅଫଲାଇନ୍ ପରୀକ୍ଷା ଦେଲେ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ୍ ରହିବ ନାହିଁ । ଅଫଲାଇନ୍ ମାର୍କ ହିଁ ଚୂଡ଼ାନ୍ତ ହେବ । ପଞ୍ଜୀକରଣ ଶେଷ ହେବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଧାର୍ଯ୍ୟ ହେବ । ଯୁକ୍ତ୨ରେ ବିଷୟ ସଂଖ୍ୟା ଅଧିକ ଥିବାରୁ ସବୁ ବିଷୟରେ ପରୀକ୍ଷା କଲେ ଅଧିକ ସମୟ ଲାଗିବ । ତେଣୁ ସମସ୍ତ ବିଷୟର ପରୀକ୍ଷା ହେବନି। । ଆବେଦନକାରୀଙ୍କ ସଂଖ୍ୟକୁ ଦୃଷ୍ଟିରେ ରଖି କିଭଳି ଓ କେଉଁ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।