ଖେଳଦେଶନ୍ୟୁଜ୍ବିଦେଶମନୋରଞ୍ଜନରାଜ୍ୟ

କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ପଦ ଛାଡିଲେ ଦିନେଶ କାର୍ତ୍ତିକ

ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଫ୍ରାଞ୍ଚାଇଜି କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)ର ଅଧିନାୟକ ଦିନେଶ କାର୍ତ୍ତିକ ଅଧିନାୟକ ପଦ ଛାଡିଛନ୍ତି । ଆଇପିଏଲର ଦୁଇ ଥରର ଚମ୍ପିଆନ କେକେଆର ଚଳିତ ସଂସ୍କରଣରେ ଖରାପ ପ୍ରଦର୍ଶନ କାରଣରୁ ଦିନେଶ କାର୍ତ୍ତିକ ଅଧିନାୟକତ୍ଵ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଶୁକ୍ରବାର ଏହି ପଦ ପରିତ୍ୟାଗ କରିଛନ୍ତି । ଇଂଲଣ୍ଡ ଦଳର ସୀମିତ ଓଭରର ଅଧିନାୟକ ଇଅନ ମୋର୍ଗାନଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି ।ମୋର୍ଗାନ ପ୍ରଥମ ଥର କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ହୋଇଛନ୍ତି । ବର୍ତ୍ତମାନ ପଏଣ୍ଟ ଟେବୁଲ୍‌ରେ କେକେଆର ଚତୁର୍ଥ ସ୍ଥାନରେ ରହିଛି । ଦଳ ଗତ ୫ଟି ମ୍ୟାଚ୍‌ରୁ ଦୁଇଟିରେ ପରାଜିତ ହୋଇଛି । ଦଳର ସିଇଓ ଭେଙ୍କି ମହୀଶୂର କହିଛନ୍ତି ଆମେ ଖୁସି ଯେ ଆମକୁ ଦିନେଶ କାର୍ତ୍ତିକଙ୍କ ରୂପେ ଅଧିନାୟକ ମିଳିଛି, ଯିଏ ସର୍ବଦା ଦଳକୁ ଆଗରେ ରଖିଛନ୍ତି । ତେଣୁ ଅଧିନାୟକ ଭାବେ କୌଣସି ପ୍ରକାରର ନିଷ୍ପତ୍ତି ନେବା ବହୁତ ମୁସ୍କିଲ ହୋଇଥାଏ । ଆମେ ନିଜେ ମଧ୍ୟ ତାଙ୍କର ଏହି ନିଷ୍ପତ୍ତିରେ ଆଚମ୍ବିତ, ମାତ୍ର ତାଙ୍କ ଇଚ୍ଛାକୁ ଆମେ ସମ୍ମାନ ଜଣାଉଛୁ ।ଆଇପିଏଲରେ ଆଜି କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ସହିତ ହେବାକୁ ଯାଉଛି । କୋଲକାତାରେ ଏବେ ମଧ୍ୟ ବ୍ୟାଟିଂ କ୍ରମକୁ ନେଇ ସମସ୍ୟା ରହିଛି । ଦଳକୁ ଏ ପର୍ଯ୍ୟନ୍ତ ମଜବୁତ ଓପନିଂ ଯୋଡି ମିଳିନାହିଁ । ଅଧିନାୟକ ଦିନେଶ କାର୍ତ୍ତିକ ଗୋଟିଏ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ରେ  ବିଫଳ ହୋଇଛନ୍ତି । ତାଙ୍କର ଖରାପ ଫର୍ମକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ସମାଲୋଚନା କରାଯାଉଛି ।

Show More
Back to top button