

ସତ୍ୟଶିଖା (ଭୁବନେଶ୍ୱର) ୦୫/୦୨/୨୦୨୧ : ରାଜଧାନୀରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଏୟାରପୋର୍ଟ ଥାନାରେ ଅଟକ ଥିବାର ଖବର ମିଳିଛି । ଏୟାରପୋର୍ଟ ଥାନା ପୁଲିସ୍ ସୁରେଶ ବେହେରାଙ୍କୁ ପଚରାଉଚୁରା କରୁଛି । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା ।
ଅଭିଯୋଗ ମୁତାବକ, ଭିନ୍ନକ୍ଷମମାନଙ୍କୁ ତାଲିମ୍ ଦେଇ ଆତ୍ମନିର୍ଭରଶୀଳ କରିବା ପାଇଁ ପଳାସପଲ୍ଲୀଠାରେ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ନାମକ ଅନୁଷ୍ଠାନ କାମ କରୁଛି । ସୁରେଶ ବେହେରା ଏଠାରେ ପୂର୍ବରୁ କୋଷାଧ୍ୟକ୍ଷ ଥିଲେ । ପରେ ସେ ସମ୍ପାଦକ ପଦ ମାଡ଼ି ବସିଥିଲେ । ସେ ସମ୍ପାଦକ ହେବା ପରେ ତାଙ୍କ ବିରୋଧରେ ଅର୍ଥ ହେରଫେରଠୁ ନେଇ ଯୌନ କେଳେଙ୍କାରୀ ପର୍ଯ୍ୟନ୍ତ ବାରମ୍ବାର ନାନା ଅଭିଯୋଗ ଆସିଥିଲା । ଏହି ଅନୁଷ୍ଠାନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ମିଳୁଥିଲା । ଲକ୍ଷଲକ୍ଷ ଟଙ୍କାର ଅନୁଦାନ ସହ ଘରୋଇ ଦାନ ମଧ୍ୟ ରହିଥିଲା । ଏହି ସବୁ ମୋଟା ଅଙ୍କର ଅର୍ଥ ହେରଫେର ହେଉଥିଲା । ସୁରେଶ ବେହେରା ଏହି ସବୁ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ ରହିଥିଲା । ଉଭୟ ସରକାରଙ୍କ ଅଧିକୃତ ବାବୁମାନେ ଯାଞ୍ଚ କରିବାକୁ ଆସୁଥିଲେ । ହେଲେ ସେମାନଙ୍କୁ ଖୁସି କରାଇ ସ୍ବାର୍ଥ ହାସଲ କରିବାକୁ ସୁରେଶ ବେହେରା ସାଂଘାତିକ ଯୋଜନା କରିଥିଲେ ।
ଏଠାରେ ପ୍ରଶିକ୍ଷଣ ପାଉଥିବା ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ସଂପୃକ୍ତ ବାବୁମାନଙ୍କ ସହ ରାତି କଟାଇବାକୁ ପଠାଉଥିଲେ । ଏପରିକି ଗୋଟିଏ ରାତି ପାଇଁ ଯୁବତୀମାନଙ୍କୁ ୫ ହଜାର ଟଙ୍କା ଦିଆଯାଉଥିଲା ବୋଲି ଅଭିଯୋଗ ଆସିଛି । ବର୍ଷ ବର୍ଷ ଧରି ଏହି କୁତ୍ସିତ କାରବାର ଚାଲୁଥିଲା । ଏହି ସବୁ କାମରେ ମହିଳା ଟେଲରିଂ ଇନ୍ଷ୍ଟ୍ରକ୍ଟର ମଧୁମଞ୍ଜରୀ ତାଙ୍କୁ ସହାୟତା କରୁଥିବା ଅଭିଯୋଗ ହୋଇଛି । ମୁଖ୍ୟତଃ ମଧୁମଞ୍ଜରୀ ହିଁ ବିଭିନ୍ନ ପ୍ରକାରେ ଫୁସୁଲାଇ ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଏଥିପାଇଁ ବାଧ୍ୟ କରୁଥିଲେ ।