ଧୋନି – ରାଇନା ବିବାଦ, ବୟାନ ରଖିଲେ ଚେନ୍ନାଇ ସୁପର କିଙ୍ଗ ମାଲିକ l

ସତ୍ୟଶିଖା ( ନୂଆଦିଲ୍ଲୀ ) ୩ .୦୯.୨୦୨୦ : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ସୁରେଶ ରାଇନା କ୍ରିକେଟର ମହାକୁମ୍ଭ ଆଇପିଏଲ ଖେଳିବେନି ବୋଲି ସ୍ୱଦେଶ ଫେରିଆସିଛନ୍ତି । ଯାହାକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ । କିନ୍ତୁ ଏହାରି ମଧ୍ୟରେ ସୁରେଶ ରାଇନା ପୁଣି ଥରେ ୟୁଏଇ ଯିବା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି । ଏ ନେଇ ବୟାନ ରଖିଛନ୍ତି ଚେନ୍ନାଇ ସୁପର କିଙ୍ଗର ମାଲିକ ଏନ. ଶ୍ରୀନିବାସନ । ଏନ. ଶ୍ରୀନିବାସନଙ୍କ କହିବା ଅନୁସାରେ, ସୁରେଶ ରାଇନାଙ୍କ ବ୍ୟକ୍ତିଗତ କାରଣରୁ ସେ ଆଇପିଏଲ ଖେଳିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଆମେ ତାଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ । ଦଳ ସୁରେଶ ରାଇନାଙ୍କ ବିନା କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀନିବାସନ କହିଛନ୍ତି । ସେ ଆହୁରି କହିଛନ୍ତି, ସୁରେଶ ରାଇନା ଦଳକୁ ଆଉ ଥରେ ଫେରିବେ କି ନାହିଁ ତାହା ସମ୍ପୂର୍ଣ୍ଣ ଚେନ୍ନାଇ ସୁପର କିଙ୍ଗ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ନ୍ୟସ୍ତ ରହିଛି ।

ସୂଚନାଯୋଗ୍ୟ ଯେ, କ୍ରିକେଟର ସୁରେଶ ରାଇନା କୌଣସି କାରଣବଶତଃ ଦୁବାଇ ଛାଡି ଭାରତ ପଳାଇ ଆସିଥିଲେ । ରାଇନାଙ୍କ ଦୁବାଇ ଛାଡିବାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । କିଏ କହୁଛି, ସୁରେଶ ରାଇନାଙ୍କ ପରିବାର ଉପରକୁ ଆକ୍ରମଣ ହେବା କାରଣରୁ ସେ ଭାରତ ଆସିଛନ୍ତି, ଅନ୍ୟ କିଛି ଜଣଙ୍କ କହିବା ଅନୁସାରେ, ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ମତାନ୍ତର କାରଣରୁ ସେ ଭାରତ ଫେରିଆସିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।

 

Exit mobile version