ରାଜ୍ୟ

ଝାରସୁଗୁଡାର ୧୨୬ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ପୋଷ୍ଟ ଅଫିସ୍’ ମାନ୍ୟତା ପାଇଁ ଅଶ୍ଵିନୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ସତ୍ୟଶିଖା(ଭୁବନେଶ୍ୱର) ୦୫.୦୮ .୨୦୨୧: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡାର ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ପୋଷ୍ଟ ଅଫିସ୍ ସୌଧ’ ଭାବେ ଘୋଷଣା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଏହାର ପୁନଃଉଦ୍ଧାର, ରକ୍ଷଣାବେକ୍ଷଣ ଓ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ସେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡା ପୋଷ୍ଟ ଅଫିସ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କଠାରୁ ଏକ ଚିଠି ପାଇଥିଲେ । ବେଙ୍ଗଲ-ନାଗପୁର ରେଳଲାଇନ୍‌ରେ ଝାରସୁଗୁଡା ରେଳ ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ୧୮୯୫ ମସିହାରେ ଝାରସୁଗୁଡା ପୋଷ୍ଟ ଅଫିସ ସ୍ଥାପନ କରାଯାଇଥିଲା । ସ୍ବାଧୀନତା ପୂର୍ବରୁ ପଶ୍ଚିମ ଓଡିଶାରେ ଝାରସୁଗୁଡା ଅର୍ଥନୈତିକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବାରେ ଏହି ୧୨୬ ବର୍ଷ ପରୁଣା ପୋଷ୍ଟ ଅଫିସର ଝାରସୁଗୁଡାର ଆଧୁନିକ ଇତିହାସରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଭାରତରେ ଭାରତୀୟ ଡାକ ସେବା ଦ୍ବାରା ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଥିବା ୩୬ଟି ଐତିହ୍ୟ ପୋଷ୍ଟ ଅଫିସ୍‌ର ରକ୍ଷଣାବେକ୍ଷଣ କରାଯିବା ସହ ଭାରତୀୟ ଡାକ ସେବାର ଗୌରବମୟ ଇତିହାସ, ସାମାଜିକ ଓ ସାଂସ୍କୃତିକ ମହତ୍ବକୁ ଦୃଷ୍ଟିରେ ରଖି ପୋଷ୍ଟ ଅଫିସ୍‌କୁ ଐତିହ୍ୟ ପୋଷ୍ଟ ଅଫିସ୍ ଭାବେ ମାନ୍ୟତା ଦେବା ପ୍ରଶଂସନୀୟ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ୧୮୯୫ ମସିହାରେ ସ୍ଥାପିତ ଝାରସୁଗୁଡା ପୋଷ୍ଟ ଅଫିସର ଇତିହାସ ଏବଂ ଜିଲ୍ଲାର ବିକାଶ ପ୍ରତି ଥିବା ଅବଦାନକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହାକୁ ଐତିହ୍ୟ ପୋଷ୍ଟ ଅଫିସ୍ ଭାବେ ମାନ୍ୟତା ଦେବା ସହ ଏହାର ପୁନଃଉଦ୍ଧାର କରିବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Show More
Back to top button