

ସତ୍ୟଶିଖା( ପୁରୀ )୭.୦୯ .୨୦୨୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘଦିନ ପରେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିଛି। ଏହି ସମୟରେ କୋଭିଡ କଟକଣା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ହେଲେ ଜଣେ ଭକ୍ତ ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁ ଦେଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କର ଭିତରକାଠ ଦର୍ଶନ ଚାଲିଥିଲା। ଏହି ସମୟରେ ଜଣେ ଭକ୍ତ ଧୁକୁଡି ଦ୍ୱାର ମଧ୍ୟ ଦେଇ ଭିତରକୁ ପ୍ରବେଶ କରିଥିଲେ। ପରେ ଦୌଡ଼ି ଦୌଡ଼ି ଯାଇ ଗର୍ଭଗୃହରେ ରତ୍ନସିଂହାସନକୁ ଛୁଇଁ ପ୍ରଣାମ କରିଥିଲେ।
ଏହାଦେଖି ସେଠାରେ ଉପସ୍ଥିତ ଥିବା ଜେଟିପି ଓ ପ୍ରତିହାରୀ ସେବକ ତାଙ୍କୁ ଧରି ଗାରଦକୁ ନେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନାହିଁ। କଡ଼ା ସୁରକ୍ଷା ପରେ ମଧ୍ୟ ଏହା କିପରି ହୋଇପାରିଲା ସେନେଇ ପ୍ରଶ୍ନ ଉଠିଛି। କରୋନା ପାଇଁ ସାମାଜିକ ଦୁରତା, ଦୀପ, ଭୋଗ ତଥା ଠାକୁରଙ୍କ ଛୁଇଁବା ଉପରେ ରୋକ୍ ଲାଗିଥିଲା। ଏହି ଘଟଣା ପରେ ଏବେ ଚିନ୍ତାରେ ମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଗାରଦରେ ଭକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡି ଦିଆଯାଇଛି। ଗର୍ଭଗୃହରେ ଭକ୍ତଙ୍କ ପ୍ରବେଶ ଉପରେ କଡା କଟକଣା ରହିଛି।