ପରଲୋକରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳ

ସତ୍ୟଶିଖା( ବରଗଡ଼ )୧୪.୦୯ . ୨୦୨୨:  ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ବାଳ ଆଉ ନାହାନ୍ତି। ବୁଧବାର ଭୋର୍ସମୟରେ ୬୯ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି।

ସ୍ବର୍ଗତ ବିଶ୍ବାଳ ସାରା ପଶ୍ଚିମ ଓଡ଼ିଶାରେ ‘ହିଲ୍ଲିପାଲିର ସେନାପତି’ ଭାବେ ବେଶ୍ ପରିଚିତ ଥିଲେ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ନାଟକ ପାର୍ଟିର ‘ସତୀ ମଉନାବତୀ’ ନାଟକରେ ସେନାପତି ଭୂମିକାରେ ସେ ବହୁବର୍ଷ ଧରି ଅଭିନୟ କରିଥିଲେ। ପରେ ସେ ନିଜେ ଉକ୍ତ ନାଟପାର୍ଟି ପରିଚାଳନା କରି ଆସୁଥିଲେ। ପ୍ରଖ୍ୟାତ ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ରେ ମଧ୍ୟ ସେ ଅଭିନୟ କରିଥିଲେ। ୧୯୮୦ ମସିହାରେ ସେ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣି ପାରିଥିଲେ। ସେ ଦୂରଦର୍ଶନର ଅନେକ ନାଟକରେ ମଧ୍ୟ ଅଭିନୟ କରି ଲୋକପ୍ରିୟ କଳାକାର ଭାବେ ଜଣାଶୁଣା ଥିଲେ। ଗତ କିଛିବର୍ଷ ହେଲା ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।

ସେମାନେ ୬ ଭାଇ ଦୁଇ ଭଉଣୀ। ତାଙ୍କ ବଡ଼ଭାଇ ମିତ୍ରଭାନୁ ବିଶ୍ବାଳ ମଧ୍ୟ ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ଜଣେ ପ୍ରତିଷ୍ଠିତ କଳାକାର। ଦେବେନ୍ଦ୍ର ବିଶ୍ବାଳ ଓଡ଼ିଆ, ସମ୍ବଲପୁରୀ/କୋଶଲି ଭାଷାରେ ପୌରାଣିକ, କାଳ୍ପନିକ, ସାମାଜିକ, ଐତିହାସିକ ନାଟକ ଅଭିନୟ କରିବା ସାଂଗେ ନିର୍ଦେଶନା ଦେଇଛନ୍ତି। ‘ବାଣା ପରାଜୟ’ ନାଟକର ‘ବାଣା’ ଭୂମିକାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ‘ସତୀ ମଉନାବତୀ’ ନାଟକରେ ସେନାପତି ରକ୍ତବାହୁ ଭୂମିକାରେ ନିଖୁଣ ଓ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ି ଯାଇଛନ୍ତି। ଏହା ବାଦ୍ ‘ନୃସିଂହନାଥ ମହାତ୍ମ୍ୟ’ ଟେଲି ଫିଲ୍ମରେ ଦୁନ୍ଦୁର୍ଭି ରାକ୍ଷସ ଭୂମିକାରେ ଅଭିନୟ କରିଛନ୍ତି। ଦୂରଦର୍ଶନରେ ‘ମହିଷାସୁର’, ‘ରାଜା’, ଓ ‘ମୂଷିକ ଦୈତ୍ୟ’ ଭୂମିକାରେ ଅଭିନୟ କରିଛନ୍ତି।
ସମ୍ମାନ:
ସେ ଅତାବିରା ବ୍ଲକ୍‌ ମନାପଡ଼ା ରାଜେନ୍ଦ୍ର ସାହୁ ସ୍ମୃତି କମିଟି ପକ୍ଷରୁ ରାଜେନ୍ଦ୍ରାୟନ-୨୦୧୬ ସମ୍ମାନ, ବଲାଂଗୀର ବୁଦୁଲା ନୀଳମାଧବ ସାହିତ୍ୟ ସଂଘ ପକ୍ଷରୁ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ କଳାକାର ମଂଚ ସମ୍ମାନ-୨୦୧୮, ୨୦୧୬ରେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ କୃଷି ମହୋତ୍ସବରେ ସମ୍ବର୍ଦ୍ଧନା, ବାବେବିରା ଜୟନ୍ତୀ ଯୁବକ ସଂଘ, ତିହାର ଲୋକ ମହୋତ୍ସବ-୨୦୧୩, ଅତାବିରା ବ୍ଲକ୍‌ କାଠଡ଼େରା ଶ୍ରୀ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହୋତ୍ସବ-୨୦୧୮, କୁମେଲସିଂହା ଶ୍ରୀ ଶ୍ରୀ ଦଧିବାମନ ପାଲା ସଂଘ, ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁସୋର ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନ ପାଇଥିଲେ।

Exit mobile version