

ସତ୍ୟଶିଖା(ଭୁବନେଶ୍ୱର) ୦୫.୦୮ .୨୦୨୧: ରାଜଧାନୀ ଭୁବନେଶ୍ୱରରେ ବେ-ଲଗାମ ହେଉଛି ଡେଙ୍ଗୁ । ଦିନକୁ ଦିନ ସ୍ଥିତି ସଙ୍ଗୀନ ହେଉଥିବାବେଳେ ଭୁବନେଶ୍ୱରରୁ ଆଉ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୬୮କୁ ବୃଦ୍ଧିପାଇଛି । ଡେଙ୍ଗୁ ଯେଉଁଭଳି ଭାବେ ମାଡ଼ୁଛି ପ୍ରଶାସନ ସେଭଳି ଭାବେ ତତ୍ପରତା ପ୍ରକାଶ କରୁଥିବା ନଜରକୁ ଆସିନି । ଯଦି ସପ୍ତାହକର ହିସାବ ଉପରେ ନଜର ପକାଇବା ତେବେ ଡେଙ୍ଗୁ ଏବେ ରାଜଧାନୀବାସୀଙ୍କୁ ଅଥୟ କରୁଥିବା ସ୍ପଷ୍ଟ ହୋଇଛି । ଜୁଲାଇ ୨୯ରେ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୮୨ ରହିଥିଲା । ଯାହାକି ଏବେ ୭୬୮ରେ ପହଞ୍ôଚଛି । ସେତେବେଳେ ଦିନକୁ ୨୦ରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ହେଲେ ବର୍ତ୍ତମାନ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ତଥା ତା’ର ନିକଟତର ରହୁଛି । ଖାଲି ଗତ ୩ ଦିନରେ ଭୁବନେଶ୍ୱରରୁ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ମଶା ଲାର୍ଭା ବଂଶ ବିସ୍ତାର କରୁଥିବା ସଂଖ୍ୟା ମଧ୍ୟ ବହୁଗୁଣିତ ହୋଇଛି । ହେଲେ ବିଏମ୍ସିର ସଚେତନତା ଅଭିଯାନ ବହୁତ ପଛରେ ପଡ଼ିଥିବା ହସ୍ତଗତ ତଥ୍ୟରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଏବେ ସୁଦ୍ଧା ବିଏମ୍ସି ମାତ୍ର ୨୭,୨୧୭ ଜଣଙ୍କ ପାଖରେ ପହଞ୍ôଚପାରିଛି । ମୋଟ ୬,୫୦୮ ଘରକୁ ସର୍ଭେଲାନ୍ସରେ ଆଣିଛି । ହେଲେ ୧୯୦୬୫ ପ୍ରଜନନ ଉତ୍ସକୁ ନଷ୍ଟ କରାଯାଇଥିବାବେଳେ ୧୮,୩୭୯ ଲାର୍ଭା ଚିହ୍ନଟ ହୋଇଛି । ତେବେ ସୋମବାର ସୁଦ୍ଧା ଭୁବନେଶ୍ୱରରେ ୨୯୯୯ ପ୍ରଜନନ ଉତ୍ସ ନଷ୍ଟ କରାଯାଇଥିଲା ଓ ୮୧୫ ଲାର୍ଭା ମିଳିଥିଲା । ୨୪ ଘଣ୍ଟାରେ ପ୍ରଜନନ ଉତ୍ସ ଓ ଲାର୍ଭା ଅଚାନକ ବଢ଼ିଯାଇଛି । ଯାହା ବିଏମ୍ସିର ଡେଙ୍ଗୁ ତଥ୍ୟ ପ୍ରକାଶ କରିବାରେ ଅପାରଗତା ଦର୍ଶାଉଛି । ସଂକ୍ରମଣ ବଢ଼ୁଥିବା ବେଳେ ବିଏମ୍ସିର ଏଭଳି ମନ୍ଥରତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହି ମଧ୍ୟରେ କରୋନା କୋପ ମଧ୍ୟ ଥମୁ ନଥିବା ନଜରକୁ ଆସୁଛି । ନୂଆ ନୂଆ ଅଞ୍ଚଳରୁ ପୁଳା ପୁଳା ଡେଙ୍ଗୁ ରୋଗୀ ବାହାରୁଥିବାବେଳେ ଏହାର ମୁକାବିଲା ବିଏମ୍ସି ପାଇଁ ବଡ଼ ଆହ୍ୱାନ ପାଲଟିଛି । ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ଏବେ ଶୈଳଶ୍ରୀବିହାର ଓ ନିଳାଦ୍ରୀ ବିହାରକୁ ବାଦ୍ ଦେଇ ମଧ୍ୟ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ଯାହାକି ବିଏମ୍ସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ବିଏମ୍ସି ପକ୍ଷରୁ ଡେଙ୍ଗୁ ଜ୍ୱର ପାଇଁ ଏକାଧିକ ସତର୍କ ସୂଚନା ଜାରି କରାଯାଇଛି । କିପରି ଅଧିକରୁ ଅଧିକ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇପାରିବ ସେନେଇ ବିଏଢ଼୍ସି ପ୍ରଚେଷ୍ଟା ଚଳାଇଛି । ଜ୍ୱର ସହ ମୁଣ୍ଡ, ହାତ ବିନ୍ଧା, ଦେହରେ ଲାଲ ଦାଗ, ବାନ୍ତି ଓ ମୁଣ୍ଡ ବିନ୍ଧା ହେଉଛି ଡେଙ୍ଗୁର ଲକ୍ଷଣ । ତେଣୁ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି । ଘରେ ମଧ୍ୟ ସଫେଇ ପରି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଘରେ ପାଣି ରଖିଥିବା ପାତ୍ର, ଟାଙ୍କି ଓ କୁଲରକୁ ୨ରୁ ୩ ଦିନରେ ଥରେ ସଫା କରି ପାଣି ବଦଳାଇବାକୁ କୁହାଯାଇଛି । ବିଏମ୍ସି ଦ୍ୱାରା ନିୟୋଜିତ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ସଚେତନ କରୁଛନ୍ତି । ଏହା ଏକ ଋତୁକାଳୀନ ରୋଗ ହୋଇଥିବାବେଳେ ଏବେ କରୋନା ସାଙ୍ଗକୁ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବା ନଜରକୁ ଆସୁଛି । ତେଣୁ ଭୁବନେଶ୍ୱର ନାଗରିକ ଅଧିକରୁ ଅଧିକ ସତର୍କ ରହିବାକୁ ବିଏମ୍ସି କମିଶନର ସଞ୍ଜୟ ସିଂ ମତ ଦେଇଛନ୍ତି ।