
ସତ୍ୟଶିକ୍ଷା (ସାନଖେମୁଣ୍ଡି) ୨୫ .୦୯.୨୦୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ବିଲ୍ ବିରୋଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି । ଦିଗପହଣ୍ଡି ବସଷ୍ଟାଣ୍ଡଠାରେ ସିପିଆଇ, ସିପିଆଇ(ଏମ) ଏବଂ କଂଗ୍ରେସ ସମର୍ଥିତ ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି ଶ୍ରମିକ ସଙ୍ଗଠନମାନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆଇନ ପ୍ରଣୟନ ବିରୋଧରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ।
ସିପିଆଇ(ଏମ୍) ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ କୈଳାସ ଷଡ଼ଙ୍ଗୀ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା କାର୍ଯ୍ୟକର୍ତ୍ତା ଅଶ୍ଵିନୀ କୁମାର ଦାସ, ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଗଞ୍ଜାମ ଜିଲ୍ଲା ସମ୍ପାଦକ ଅଳକ ନାଥ ମିଶ୍ର, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ତଥା ଆଇଏନଟିୟୁସି କାର୍ଯ୍ୟକର୍ତ୍ତା ପ୍ରଫୁଲ ପଣ୍ଡାଙ୍କ ନେତୃତ୍ବରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଗଣଧାରଣା ଓ ପ୍ରତିବାଦ ସଭାରେ ସାମିଲ ଥିଲେ ।କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍ କୁ ରଦ୍ଦ କରାଯିବା, ନୂତନ ବିଦ୍ୟୁତ୍ ବିଲ୍ – ୨୦୨୦କୁ ପ୍ରତ୍ୟାହାର କରାଯିବା, ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ମୂଲ୍ୟକୁ ହ୍ରାସ କରାଯିବା, ପରିବେଶ ପ୍ରଭାବ ଜନିତ ଆକଳନ ବିଜ୍ଞପ୍ତିକୁ ରଦ୍ଦ କରିବା, ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ଖାଦ୍ୟପଦାର୍ଥ ଇତ୍ୟାଦି ଆମଦାନୀ ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ରଦ୍ଦ କରିବା ନେଇ ଉପସ୍ଥିତ ଦଳୀୟ ନେତୃବୃନ୍ଦ ତାଙ୍କ ଉଦବୋଧନରେ କହିଥିଲେ ।
ସିପିଆଇ (ଏମ) ଗଞ୍ଜାମ ଜିଲ୍ଲା କମିଟି କର୍ମକର୍ତ୍ତା କୁରେଶୁ ପଣ୍ଡା, ସୁଶାନ୍ତ କୁମାର ଷଡଙ୍ଗୀ, ଉଜ୍ଜଳ ସାହୁ, ଭି. ସୁଦର୍ଶନ ରାଜୁ, ସିପିଆଇ ଶାଖା କମିଟି ସମ୍ପାଦକ ତପନ କୁମାର ମିଶ୍ର, ଦୈତାରି ରେଡ୍ଡୀ, ମୂଷା ବେହେରା, ପୂର୍ବତନ କାଉନସିଲର ରସାନନ୍ଦ ରାଉତ, ଏମ୍. ବାଇନାଥ, ଏମ୍. ତ୍ରିନାଥ, ଭଗବାନ ସ୍ବାଇଁ, ଡମ୍ବୁରୁଧର ବେହେରା ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଗଣଧାରଣା ଓ ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ ।